ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିକୁ ନେଇ ସହମତି ପରେ ଗୁଣପୁରବାସୀ ତତ୍ପର

ଗୁଣପୁର ପାଇଁ ବିଜୁଙ୍କ ପ୍ରତିଶ୍ରୁତି ରଖିବେ କି ନବୀନ

ରାୟଗଡ଼ା: ଉପନିର୍ବାଚନ ପରିପ୍ରେକ୍ଷୀରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିକୁ ବିଜେଡି ସମର୍ଥନ ଜଣାଇବା ପରେ ନୂତନ ଜିଲ୍ଲା ଗଠନ ଲବିରେ ଥିବା ଗୁଣପୁରବାସୀ ଚେଇଁ ଉଠିଛନ୍ତି। ଦାବି ହାସଲ ପାଇଁ ଆନ୍ଦୋଳନକୁ ତୀବ୍ରତର କରିବାକୁ ନୂତନ ଜିଲ୍ଲା ପ୍ରସ୍ତାବ କମିଟି ପକ୍ଷରୁ ଆରମ୍ଭ ହୋଇଛି ସଜବାଜ। ଖୁବ୍ ଶୀଘ୍ର କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବା ସହ ସକରାତ୍ମକ ଆଲୋଚନା କରିବ ବୋଲି କହିଛନ୍ତି କମିଟିର କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶ। ୧୯୯୨ରେ ରାୟଗଡ଼ା ନୂତନ ଜିଲ୍ଲାର ମାନ୍ୟତା ପାଇଥିଲା। ନୂତନ ଜିଲ୍ଲା ଗଠନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦାଶ କମିଟିକୁ ନୂତନ ଜିଲ୍ଲା ମାନ୍ୟତା ପାଇବାକୁ ଥିବା ଅଞ୍ଚଳର ଭିତ୍ତିଭୂମି ଏବଂ ଆବଶ୍ୟକତା ସଂପର୍କରେ ରିପୋର୍ଟ ଦେବା ପାଇଁ କହିଥିଲେ। ଦାଶ କମିଟି ଗୁଣପୁରକୁ ଜିଲ୍ଲା ମାନ୍ୟତା ସପକ୍ଷରେ ରିପୋର୍ଟ ଦେଇଥିଲେ ମଧ୍ୟ ଘୋଷଣା ସମୟରେ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୧୧ଟି ବ୍ଲକକୁ ଅଲଗା କରି ରାୟଗଡ଼ା ଜିଲ୍ଲା ଗଠନ କରିଥିଲେ। ରାୟଗଡ଼ା ନୂତନ ଜିଲ୍ଲା ଘୋଷଣା ପରେ ଗୁଣପୁର ଉପଖଣ୍ଡର କିଛି ଅଞ୍ଚଳବାସୀ ଗଜପତି ଜିଲ୍ଲାରେ ସାମିଲ୍ ହେବାକୁ ଦାବି କରିଥିଲେ। ଆଉ କିଛି ନିଷ୍ପତ୍ତିରେ ପରିବର୍ତ୍ତନ କରି ଗୁଣପୁରକୁ ଜିଲ୍ଲା ମାନ୍ୟତା ସହ ପଦ୍ମପୁର, ଗୁଡାରିକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ବିଜ୍ଞପ୍ତି ପ୍ରକାଶିତ ହୋଇ ସାରିଥିବାରୁ ପରବର୍ତ୍ତୀ ସମୟରେ ନୂତନ ଜିଲ୍ଲା ଗଠନ ସମୟରେ ଗୁଣପୁର ନୂତନ ଜିଲ୍ଲା ଦାବିକୁ ଅଗ୍ରାଧିକାର ଦିଆଯିବ ବୋଲି ବିଜୁ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ପ୍ରାଥମିକତା ଭିତ୍ତିରେ ଓଡ଼ିଶାର ୩୧ତମ ଜିଲ୍ଲା ଭାବେ ଗୁଣପୁର ନାଁ ସର୍ବାଗ୍ରେ ରହିବ ବୋଲି ବିଜୁ ପଟ୍ଟନାୟକ ଆନ୍ଦୋଳନକାରୀଙ୍କୁ କହିଥିଲେ। ଇତି ମଧ୍ୟରେ ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ନୂତନ ଜିଲ୍ଲା ଗଠନ ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ବହୁ ଦାବି, ଆନ୍ଦୋଳନ ପରେ ବି ସରକାର ନୂତନ ଜିଲ୍ଲା ଗଠନ ପ୍ରସ୍ତାବକୁ ଏଡ଼ାଇ ଆସିଛନ୍ତି।

ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଡିସେମ୍ବର ୫ ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି। ମତଦାନ ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବିରେ ଆଇନଜୀବୀଙ୍କ ସମେତ ଅଞ୍ଚଳବାସୀ ଧାରଣାରେ ବସିଛନ୍ତି। ଶାସକ ବିଜେଡି ନୂତନ ଜିଲ୍ଲା ଗଠନକୁ ପୂର୍ଣ୍ଣ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀ ଏ ଦିଗରେ ସକରାତ୍ମକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗୁଣପୁର ଉପଖଣ୍ଡ ଉନ୍ନୟନ କମିଟି ଏବଂ ନୂତନ ଜିଲ୍ଲା ପ୍ରସ୍ତାବ କମିଟି ତତ୍ପରତା ପ୍ରକାଶ କରିଛି। କମିଟି ଯୁକ୍ତି ବାଢ଼ିଛି, ୩/୪ଟି ବ୍ଲକକୁ ନେଇ ପଶ୍ଚିମ ଓଡ଼ିଶାରେ ଜିଲ୍ଲା ଗଠନ ହୋଇଛି। ଗୁଣପୁର ଉପଖଣ୍ଡ ଅଧୀନରେ ୭ ବ୍ଲକ୍ ଥିବାରୁ ଏହା ପଶ୍ଚିମ ଓଡ଼ିଶାର ଦୁଇ ଜିଲ୍ଲା ସହ ସମକକ୍ଷ। କେବଳ ଏତିକି ନୁହେଁ, ଗୁଣପୁର ଉପଖଣ୍ଡ ସୀମା କଳାହାଣ୍ଡି ସୀମାନ୍ତ ଅମ୍ବାଦଳା, ଗଜପତି ସୀମାନ୍ତ କାଶୀନଗର, ଆନ୍ଧ୍ର ସୀମାନ୍ତ ପର୍ଯ୍ୟନ୍ତ ଲମ୍ବିଛି। ବହୁ ଅଞ୍ଚଳ ଉପଖଣ୍ଡ ସଦର ମହକୁମାରୁ ୧୨୦ରୁ ୧୩୦ କିମି ଦୂରତାରେ ରହିଥିବାରୁ ସରକାରୀ ଯୋଜନା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ କେବଳ ଏହି ସବୁ ଅଞ୍ଚଳକୁ ଗସ୍ତ କରିବାରେ ହିଁ ଦିନ କଟି ଯାଉଛି। ଫଳରେ ବିକାଶ ଆଖିଦୃଶିଆ ହୋଇପାରୁନି। ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବଂଶଧାରା ଜଳ ବିବାଦ, ପୁଟାସିଂକୁ ବ୍ଲକ୍ ମାନ୍ୟତା ଦାବି, ଆନ୍ଧ୍ରର ଅନୁପ୍ରବେଶ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ନେଇ ରାସ୍ତା ବାହାରି ପାରୁନି। ଜିଲ୍ଲା ମାନ୍ୟତାରୁ ଗୁଣପୁର ବଞ୍ଚିତ ହୋଇଥିବାରୁ ଶତାୟୁ ରେଳପଥ ନୌପଡ଼ା-ଗୁଣପୁର ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ହୋଇ ପାରୁନଥିବା ବେଳେ ଗୁଣପୁର ଷ୍ଟେସନର ବିକାଶ ମଧ୍ୟ ଯେଉଁ ତିମିରେକୁ ସେହି ତିମିରେ ହିଁ ରହି ଯାଇଛି।

ସମ୍ବନ୍ଧିତ ଖବର