ସ୍ବପ୍ନରେ ରହିଯିବ ଗୁଣପୁର-ଥେରୁବାଲି ରେଳ ଲାଇନ୍; ବଜେଟରେ ମିଳିଲା ମାତ୍ର ଲକ୍ଷେ

ରାୟଗଡ଼ା ନୂଆ ଡିଭିଜନ୍ ବିଲିଡିଂ ପାଇଁ ୪୦ ଲକ୍ଷ ଅନୁଦାନ; ଜୟପୁର-ମାଲକାନଗିରିକୁ ୨୮ କୋଟି

ରାୟଗଡ଼ା: ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ପାଇଁ ଗୁରୁତ୍ବ ରଖୁଥିବା ଗୁଣପୁର- ଥେରୁବାଲି ରେଳ ଲାଇନ୍ ସ୍ବପ୍ନରେ ରହିଯିବ। ୨୦୨୧-୨୨ ରେଳ ବଜେଟ୍ ପରେ ସରକାରଙ୍କ ଆଭିମୁଖ୍ୟର ଏହା ସ୍ପଷ୍ଟ ହୋଇଯାଇଛି। ଚଳିତ ବଜେଟରେ ସରକାର ଏହି ନୂଆ ପ୍ରକଳ୍ପ ପାଇଁ ମାତ୍ର ୧ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ବିଗତ ୩ ରେଳ ବଜେଟରେ କେନ୍ଦ୍ର ସରକାର ମାତ୍ର ୩ ଲକ୍ଷ ଅନୁଦାନ ଦେବା ଏହି ପ୍ରକଳ୍ପ ପ୍ରତି ଉପହାସ ସଦୃଶ୍ୟ ହୋଇଥିବାରୁ ଜନ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି। ଗୁଣପୁର-ଥେରୁବାଲି ପ୍ରକଳ୍ପ ପରି ରାୟଗଡ଼ା ଡିଭିଜନ୍ ଅଧୀନରେ ଥିବା ସମସ୍ତ ନୂଆ ଓ ଦୋହରୀକରଣ ପ୍ରକଳ୍ପକୁ ବଜେଟରେ ଅବହେଳା କରାଯାଇଛି। ପୂର୍ବ ବର୍ଷ ବଜେଟ୍ ତୁଳନାରେ ପ୍ରକଳ୍ପ ଅନୁଦାନ କମିଥିବା ବେଳେ ରାୟଗଡ଼ା ନୂଆ ଡିଭିଜନ୍ କାର୍ଯ୍ୟାଳୟ ପାଇଁ ମିଳିଛି ମାତ୍ର ୪୦ ଲକ୍ଷ। ୨୦୨୦-୨୧ ବଜେଟରେ ନୂଆ ଡିଭିଜନ୍ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ୩ କୋଟିର ଅନୁଦାନ ମିଳିଥିଲା। ଚଳିତ ବର୍ଷ ତାହା ୪୦ ଲକ୍ଷକୁ ଖସି ଆସିଛି। ୨୦୨୦ ଅଗଷ୍ଟ ସୁଦ୍ଧା ନୂଆ ଡିଭିଜନ୍ କାର୍ଯ୍ୟକ୍ଷମ ଲାଗି ରେଳ ବିଭାଗ ଲକ୍ଷ୍ୟ ରଖିଥିଲା। ହେଲେ ବିଭାଗୀୟ ଅବହେଳା କାରଣରୁ ଆଜି ସୁଦ୍ଧା ଭୂଇଁରୁ ଉଠିପାରୁନି ଏହି ପ୍ରକଳ୍ପ। ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ (୧୩୫ କିମି) ପାଇଁ ୨୮ କୋଟି ଏବଂ ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନ୍ (୩୮ କିମି) ବଜେଟରେ ମିଳିଛି ୧୫ କୋଟି ୧୦ ଲକ୍ଷ।

ଜଗଦଲପୁର-କୋରାପୁଟ (୧୧୦ କିମି) ରେଳପଥର ଦୋହରୀକରଣ ପାଇଁ ବଜେଟରେ ୮୫ କୋଟି ମିଳିଥିବା ବେଳେ କୋରାପୁଟ-ସିଙ୍ଗାପୁର ରୋଡ୍ ଲାଇନର ଦୋହରୀକରଣ ପାଇଁ ମିଳିଛି ମାତ୍ର ଲକ୍ଷେ ଟଙ୍କା। କେବଳ ଟିଟିଲାଗଡ଼-ରାୟଗଡ଼ା- ବିଜୟନଗରମ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣକୁ ବଜେଟରେ ଗୁରୁତ୍ବ ଦେଇଛନ୍ତି ସରକାର। ୨୬୪.୬ କିମି ଏହି ପ୍ରକଳ୍ପ ପାଇଁ ମିଳିଛି ୩୦୦ କୋଟି। ଅନ୍ୟପକ୍ଷରେ ରାୟଗଡ଼ା ନୂଆ ଡିଭିଜନ୍ ସହ ମାଲକାନଗିରି, ନବରଙ୍ଗପୁର, ଗୁଣପୁର ରେଳ ଲାଇନର ନିର୍ମାଣ ପାଇଁ ସରକାର ବଜେଟରେ ଯେଭଳି ଗୁରୁତ୍ବ ଦେବା କଥା ଦେଇ ନାହାଁନ୍ତି। ଅନୁଦାନ ଅଭାବରୁ ୨୦୧୬ ବଜେଟରୁ କାମ ଆରମ୍ଭ ହୋଇଥିବା ମାଲକାନଗିରି-ଜୟପୁର, ଜୟପୁର-ନବରଙ୍ଗପୁର ରେଳପଥ କାମ ଅଧା ବି ସରିନି। ସେହିପରି ୨୦୧୭-୧୮ ରେଳ ବଜେଟରେ ନୌପଡା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ୯୩୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ହେଲେ ପରବର୍ତୀ ସମୟରେ ଏହି ରେଳପଥ ଭବିଷ୍ୟତରେ ରେଳ ବିଭାଗ ଲାଭବାନ୍ ନଥିବା ଦର୍ଶାଇ ଅନୁଦାନ ଦେଉନି।

୨୦୧୮-୧୯ ବଜେଟରେ ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ଟଙ୍କାଟିଏ ଅନୁଦାନ ମିଳିନଥିବା ବେଳେ ବିଗତ ୩ ଆର୍ଥିକ ବର୍ଷରେ ମିଳିଛି ମାତ୍ର ୩ ଲକ୍ଷ ଟଙ୍କା। ୧୯୭୨ରେ ସର୍ଭେ ଆରମ୍ଭ ହୋଇ ୨୦୧୪ରେ ଶେଷ ହେବା ପରେ ୭୯ କିମି ରେଳପଥର ରେଟ୍ ଅଫ୍ ରିଟର୍ଣ ୧୩.୫ ଥିଲା। କିନ୍ତୁ ଡିପିଆର ପ୍ରସ୍ତୁତ ସତ୍ବେ ଗତ ୬ଟି ରେଳ ବଜେଟରେ ଏହି ପ୍ରକଳ୍ପକୁ ସବୁଜ ସଂକେତ ମିଳିପାରୁନି। ବିଶାଖାପାଟଣା-କିରୁଣ୍ଡୋଲ୍, ସମ୍ବଲପୁର-କୋରାପୁଟ, ରାୟଗଡା-ଝାରସୁଗୁଡା ଏବଂ ଥେରୁବାଲିଠୁ ଆରମ୍ଭ କରି କେନ୍ଦୁଝର ଶିଳ୍ପ କରିଡର୍ ସହ ସଂଯୋଗ ହୋଇଛି ଏହି ରେଳପଥ। ଦୈନିକ ଶହେରୁ ଉର୍ଧ୍ବ ମାଲବାହୀ ଟ୍ରେନ୍ ଏହି ରେଳପଥ ଦେଇ ଚଳାଚଳ କରୁଥିବା ବେଳେ ରାଜସ୍ବ ବାବଦକୁ ମାସିକ ଆଦାୟ କରୁଛନ୍ତି ଶହ ଶହ କୋଟି କୋଟି ଟଙ୍କା। କିନ୍ତୁ ବଜେଟରେ ସବୁଠୁ କମ୍ ଅନୁଦାନ ପାଉଛି ଏହି ରେଳପଥ। କେବଳ ଦୋହରୀକରଣକୁ ଛାଡ଼ିଲେ ନୂଆ ପ୍ରକଳ୍ପକୁ ସରକାର ଗୁରୁତ୍ବ ଦେଉନାହାଁନ୍ତି।

ସମ୍ବନ୍ଧିତ ଖବର