ଓକିଲଗୁଡ଼ା ପଥର ଖାଦାନରେ ବେଆଇନ ବିସ୍ଫୋରଣ ଘଟଣା, ବଦଳିଲେ ଗୁଣପୁର ଅତିରିକ୍ତ ତହସିଲଦାର

ପୂର୍ବରୁ ସସପେଣ୍ଡ ହୋଇଥିଲେ ତହସିଲଦାର,. ସୁପରଭାଇଜର, ଏଆରଆଇ ହୋଇଥିଲେ ନିଲମ୍ବିତ, ବଦଳିଥିଲେ ଆରଆଇ, ଏଆରଆଇ

ରାୟଗଡ଼ା : ଗୁଣପୁର ତହସିଲ ଓକିଲଗୁଡ଼ା ପଥର ଖାଦାନ ବେଆଇନ ବିସ୍ଫୋରଣ ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଆଜି ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବଦଳି ତାଲିକାରେ ଗୁଣପୁର ଅତିରିକ୍ତ ତହସିଲଦାର କୁଶ ଗରଡ଼ାଙ୍କୁ ସରକାର କାଶୀପୁରକୁ ବଦଳି କରିଛନ୍ତି। କାଶୀପୁର ଅତିରିକ୍ତ ତହସିଲଦାର କପିଳେଶ୍ବର ତାଣ୍ଡିଙ୍କୁ ଗୁଣପୁର ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ସରକାର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ସସପେଣ୍ଡ କରିଥିଲେ। ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ପଣ୍ଡା, ସହକାରୀ ରାଜସ୍ବ ନୀରିକ୍ଷକ ଅନୁପ କୁମାର ମାର୍ଥା ମଧ୍ୟ ଚାକିରୀରୁ ନିଲମ୍ବିତ ହୋଇଥିବା ବେଳେ ସଦର ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ପଣ୍ଡାଙ୍କୁ କାଶୀପୁର, ସହକାରୀ ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ଦାଶଙ୍କୁ ମୁନିଗୁଡା ତହସିଲକୁ ବଦଳି ହୋଇଥିଲା।

ଅକ୍ଟୋବର ୧୬ ତାରିଖରେ ପଥର ଖାଦାନରେ ଶ୍ରମିକମାନେ କାମ କରୁଥିବା ବେଳେ ବେଆଇନ ବ୍ଲାଷ୍ଟିଂ ଯୋଗୁ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ୯ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଘଟଣାର ଦିନକ ପରେ ସହକାରୀ ରାଜସ୍ବ ନିରୀକ୍ଷକ ଅନୁପ କୁମାର ମାର୍ଥାଙ୍କୁ ଜିଲ୍ଲାପାଳ ସସପେଣ୍ଡ କରିବା ସହ ଅତିରିକ୍ତ ତହସିଲଦାର କୁଶ ଗରଡା, ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦ, ସଦର ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ପଣ୍ଡା, ସହକାରୀ ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ଦାଶଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଅକ୍ଟୋବର ୨୧ ତାରିଖରେ ରାଜ୍ୟ ସରକାର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରିବା ପରେ ଅନ୍ୟ ଅଧିକାରୀ ଛାନିଆ ହୋଇ ପଡିଥିଲେ। ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନ ହେବା ପରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଥିବା ରାଜସ୍ବ ନୀରିକ୍ଷକ ସନ୍ତୋଷ ପଣ୍ଡା ଓ ସହକାରୀ ରାଜସ୍ବ ନିରୀକ୍ଷକ ସନ୍ତୋଷ ଦାଶଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ପରାମର୍ଶ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କ ନିକଟରୁ କିଛି ଉତ୍ତର ଆସିନଥିବା ବେଳେ ଆଜି ଉଭୟଙ୍କୁ ଗୁଣପୁର ତହସିଲରୁ ଅନ୍ୟତ୍ର ବଦଳି କରାଯାଇଛି। ଘଟଣା ପରେ ଖାଦାନ ଲିଜଧାରୀ, କ୍ରସର ମାଲିକଙ୍କ ସମେତ ୩ ଜଣଙ୍କ ନାଁରେ ଗୁଣପୁର ପୁଲିସ୍ ମାମଲା ରୁଜୁ କରିବା ସହ ପ୍ରଦୀପ ଯୋଗୀ, ଘାସି ଯୋଗୀ, ପ୍ରତାପ ଯୋଗୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଅକ୍ଟୋବର ୨୭ ତାରିଖରେ ପୁଲିସ୍ ଦୁଇଟି ଟିପର, ବିସ୍ଫୋରକ ସାମଗ୍ରୀ ସହ ୩ ଜଣଙ୍କୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଛି। ଓକିଲଗୁଡ଼ା ଘଟଣା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଜିଲ୍ଲାର ସମସ୍ତ କ୍ରସର ଗୁଡ଼ିକର ଆବଶ୍ୟକ କାଗଜପତ୍ର, ଲିଜ୍ ଏଗ୍ରିମେଣ୍ଟ୍, ପରିବେଶ ପ୍ରମାଣପତ୍ର, ଜଙ୍ଗଲ ବିଭାଗ ଅନୁମତି ସଂପର୍କିତ କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ଫଳସ୍ବରୂପ ଓକିଲଗୁଡ଼ା ଖାଦାନକୁ ଏବେ ନିଷିଦ୍ଧାଞ୍ଚଳ ଭାବେ ପ୍ରଶାସନ ଘୋଷଣା କରିବା ସହ ସୂଚନା ଫଳକ ଲଗାଇଛି। ସୂଚନାଯୋଗ୍ୟ, ନଭେମ୍ବର ୫ ତାରିଖରେ ଅତିରିକ୍ତ ତହସିଲଦାର କୁଶ ଗରଡାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ସମ୍ବନ୍ଧିତ ଖବର