କରୋନା ଯୋଗୁଁ ଐତିହାସିକ ଗୁପ୍ତେଶ୍ବର ମେଳା ବନ୍ଦ

ରାଉରକେଲା/ବୀରମିତ୍ରପୁର: କରୋନା  ଯୋଗୁଁ ବନ୍ଦ ହୋଇଯାଇଛି ବୀରମିତ୍ରପୁରର ଐତିହାସିକ ଗୁପ୍ତେଶ୍ବର ମେଳା। ଗତକାଲି ଥିଲା ମେଳାର ପ୍ରଥମ ଦିନ। ମେଳା ପରିସରରେ ଥିଲା ହଜାର ହଜାରେ ଲୋକଙ୍କ ଭିଡ। ତେବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ମେଳା ପରିଚାଳନା କମିଟିକୁ ତୁରନ୍ତ ମେଳାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ଉପାୟ ନପାଇ ମେଳା ପରିଚଳାନା କମିଟି ତ୍ବରିତ ପଦକ୍ଷେପ ସ୍ବରୂପ ରାଜ୍ୟ ଓ ରାଜ୍ୟ ବାହାରୁ ପସରା ମେଲାଇଥିବା ଦୋକାନଗୁଡ଼ିକୁ ବନ୍ଦ କରିବାକୁ କହିଥିଲେ।

ବୀରମିତ୍ରପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସ ଟିମ୍‌ ମେଳା ପଡିଆରେ ପହଞ୍ଚି ଦୋକାନଗୁଡ଼ିକୁ ବନ୍ଦ କରିବାକୁ ଦାଗିଦ୍‌ କରିଥିଲେ। ମେଳା ପରିସରରୁ ଚାଲିଯିବାକୁ ସମସ୍ତ ଦୋକାନୀଙ୍କୁ ବୁଝାଇଥିଲେ। ହଠାତ୍‌ ଏଭଳି ସୂଚନା ପାଇବା ପରେ ଦୋକାନୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦି’ ପଇସା ରୋଜଗାର ଆଶା ରଖିଥିବା ୩୦୦ରୁ ଅଧିକ ଦୋକାନୀମାନେ ହରଡ଼ଘଣାରେ ପଡ଼ି ଯାଇଥିଲେ।

ତେବେ ଶେଷରେ ନିରୁପାୟ ହୋଇ ନିଜ ଦୋକାନଗୁଡ଼ିକୁ ବନ୍ଦ କରି ସେମାନେ ଜଣେ ପରେ ଜଣେ ନିଜ ନିଜ ଘରକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ଐତିହାସିକ ବେଦବ୍ୟାସ ମେଳା ପରେ ବୀରମିତ୍ରପୁର ଥାନା ନିକଟ ପଡିଆରେ ପ୍ରତିବର୍ଷ ଗୁପ୍ତେଶ୍ବର ମେଳା ଆୟୋଜିତ ହୋଇଥାଏ। ଚଳିତ ବର୍ଷ ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବାକୁ ଥିଲା। ଏଥର ବେଦବ୍ୟାସ ମେଳରେ ଦୋକାନୀମାନଙ୍କର ଆଦୌ ଲାଭ ହୋଇ ନଥିଲା। କ୍ଷତି ସହିଥିବା ସେ ବ୍ୟବସାୟୀମାନେ ଗୁପ୍ତେଶ୍ବର ମେଳାରେ କ୍ଷତିପୂରଣ ସହ ଅଧିକ ଦି’ ପଇସା ରୋଜଗାର କରିବାକୁ ଆଶା ରଖିଥିଲେ ହେଁ ସେମାନଙ୍କୁ ନିରାଶ ହେବାକୁ ପଡିଛି।

ସମ୍ବନ୍ଧିତ ଖବର