କେତେ ସୁରକ୍ଷିତ ଗୁପ୍ତେଶ୍ୱରର ରାସ୍ତା? ଗଛ ଅସୁରକ୍ଷିତ
ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ସ୍ଥିତ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଗମନାଗମନ ସହଜ କରିବା ପାଇଁ ନୂତନ ଭାବେ ରାସ୍ତା ନିର୍ମାଣ କରାଯାଇଛି। ମୁଖ୍ୟତଃ ରାମଗିରି ଠାରୁ ଗୁପ୍ତେଶ୍ୱର ଯାଏ ଅଙ୍କାବଙ୍କା ଘାଟି ରାସ୍ତା ସହ ରାସ୍ତାର ଚଉଡ଼ା ଆବଶ୍ୟକ ଠାରୁ କମ ରହିଥିବାରୁ ବହୁ ସମୟରେ ଦୁର୍ଘଟଣା ମାନ ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ଯୋଗୁଁ ବର୍ତ୍ତମାନ ରାସ୍ତାଟିକୁ ସହଜ ଏବଂ ସୁଗମ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ପ୍ରକାଶ ଥାଉକି, ଶୈବପୀଠ ଗୁପ୍ତେଶ୍ୱର କେବଳ ଓଡ଼ିଶାର ନୁହେଁ ବରଂ ସମଗ୍ର ଭାରତ ବର୍ଷର ଅନ୍ୟତମ ତୀର୍ଥସ୍ଥଳୀ ତଥା ପର୍ଯ୍ୟଟନସ୍ଥଳୀ। ଏପରିକି ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଗୁପ୍ତେଶ୍ୱର ଯାଏ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ପାଇଁ ଗୁପ୍ତେଶ୍ୱର ପୀଠରେ ଯେଉଁ ସର୍ବନିମ୍ନ ସୁବିଧା ରହିବା ଦରକାର, ତାହା ଆଜିଯାଏ ଉପଲବ୍ଧ ହୋଇପାରି ନାହିଁ। ତେବେ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଯାତାୟତ ପାଇଁ ରାସ୍ତା ଉପରେ ଗୁରୁତ୍ବ ଦିଆଯାଇଛି। କିନ୍ତୁ ରାସ୍ତା ଚଉଡ଼ା କରିବା ନାଁ ରେ ସେଠାକାର ଅବସ୍ଥିତି ଉପରେ ଆଦୈ ଦୃଷ୍ଟି ଦିଆଯାଇନଥିବା ଦେଖିବାକୁ ମିଳିଛି। ମେସିନ ସାହାଯ୍ୟରେ ସବୁଠାରୁ ବିପଦ ସଙ୍କୁଳ ରୂପେ ଡୋକ୍ରି ଘାଟିକୁ ସମତଳ କରାଯାଇ ଦୁର୍ଘଟଣାକୁ ଏଡାଇବା ପାଇଁ ଯେଉଁ ଭଳି ଭାବେ କାମ ଚାଲିଛି, ଏହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ। କାରଣ ଏହାଦ୍ବାରା ଦୁର୍ଘଟଣା ସମ୍ଭାବନା କମିଯିବା ସହ ଯାନବାହାନ ସ୍ବାଚ୍ଛଳୀରେ ଯିବାଆସିବା କରିପାରିବେ। କିନ୍ତୁ ଏହାର ଅପର ଦିଗକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଗୋଟିଏ ବିପଦକୁ ଏଡାଇବାକୁ ଯାଇ ଆଉ ଏକ ବିପଦକୁ ନିମନ୍ତ୍ରଣ କରାଯାଇଛି। ମେସିନ ଯୋଗେ ମାଟି ଖୋଳିବା ନାଁରେ ବର୍ଷବର୍ଷ ଧରି ମୁଣ୍ଡ ଟେକି ଠିଆ ହୋଇଥିବା ଗଛ ଗୁଡ଼ିକର ମୂଳଯାଏ ମାଟି ତାଡି ଦିଆଯାଇଛି। ଏପରିକି ଗଛ ଗୁଡ଼ିକର ମୂଳ ଏବଂ ଚେର ମାଟିର ଆଶ୍ରୟ ନପାଇ ବାହାରକୁ ଆସିଛନ୍ତି। ଡୋକ୍ରି ଘାଟି ପୂର୍ବରୁ ଘାଟିର ଶେଷ ଯାଏ ଶହଶହ ସଂଖ୍ୟାରେ ଗଛ ସବୁ ଏଭଳି ଅବସ୍ଥାରେ ଠିଆ ହୋଇଛନ୍ତି। ଯେମିତି ସେମାନେ ଶୂନ୍ୟରେ ଝୁଲୁଛନ୍ତି। କୈାଣସି ସମୟରେ ଗଛ ମୂଳରୁ ମାଟି ଧୋଇଗଲେ ସେସବୁ ଧରାଶାୟୀ ହୋଇଯିବେ। ଏଥିରେ କୈାଣସି ସଂଦେହ ନାହିଁ। ଗୁପ୍ତେଶ୍ୱରକୁ ବର୍ଷସାରା ଯାତ୍ରୀଙ୍କର ଯିବାଆସିବା ଲାଗି ରହିଥାଏ।
ବିଶେଷ କରି ପର୍ବପର୍ବାଣୀ ସମୟରେ ବହୁ ଯାତ୍ରୀଙ୍କର ସମାଗମ ହୋଇଥାଏ। ମହାଶିବରାତ୍ରୀ, କାର୍ତ୍ତିକ ମାସ ତଥା ଶ୍ରାବଣ ମାସରେ ପ୍ରଭୁ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି। ବିଶେଷ କରି ଶୀତ ଋତୁରେ ବିଭିନ୍ନ ଜିଲ୍ଲାରୁ ଏବଂ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ ତଥା ଭାରି ଯାନ ଦିନ ରାତି ଯିବାଆସିବା କରିଥାଏ। ଯେଉଁ ଗଛ ଗୁଡ଼ିକର ମୂଳରୁ ମାଟି ତାଡ଼ି ନିଆଯାଇଛି ସେହି ଗଛ ଗୁଡ଼ିକର ମାଟିକୁ ଧରି ରଖିବାର ଶକ୍ତି ହରେଇ କୈାଣସି ସମୟରେ ଉପୁଡ଼ି ପଡି ଅଘଟଣ ଘଟିବାର ଆଶଙ୍କା ରହିଛି। ହୁଏତ ଗାଡ଼ି ଦୁର୍ଘଟଣାରୁ ଲୋକେ ରକ୍ଷା ପାଇ ପାରନ୍ତି, କିନ୍ତୁ ଏହି ଆସନ୍ନ ବିପଦରୁ ସେମାନଙ୍କୁ ରକ୍ଷା କରିବ କିଏ ବୋଲି ପ୍ରଶ୍ନ ଉଠେ।
ଯେଉଁଭଳି ଭାବେ ଗଛ ମୂଳରୁ ମାଟି ତାଡ଼ି ନିଆଯାଇଛି, ତାହା ଉଦ୍ଦେଶ୍ୟମୂଳକ ନୁହେଁ ତ? ରାସ୍ତା ପ୍ରଶସ୍ତ କରିବା ପାଇଁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିବା କୈାଣସି ପ୍ରକାରେ ସହଜ ନୁହେଁ। ତେଣୁ ଗଛ ଗୁଡ଼ିକ ଏପରି କୈଶଳ ଆପଣେଇ ନିଆଯାଇ ନାହିଁ ତ? ଏହାର ସ୍ବଷ୍ଟ ଉତ୍ତର କିଏ ଦେବ? ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇଛନ୍ତି କି ନାହିଁ ଅଥବା ଦେଖି ମଧ୍ୟ ନଦେଖିବା ଭଳି ଚୁପ୍ ରହିଛନ୍ତି। ବର୍ତ୍ତମାନ ଶ୍ରାବଣ ସୋମବାର ଉପଲକ୍ଷେ ଶହଶହ କାଉଡ଼ିଆ ପାଦରେ ଚାଲି ଚାଲି ଗୁପ୍ତେଶ୍ୱର ଯାଆନ୍ତି। କ୍ରମାଗତ ଭାବେ ବର୍ଷା ଲାଗି ଚାଲିଥିବାରୁ ଗଛ ମୂଳର ମାଟି ଧୋଇ ହୋଇଯାଇ ଯଦି କିଛି ଅଘଟଣ ଘଟେ, ଏଥିପାଇଁ କିଏ ନିଜ ମୁଣ୍ଡ ଉପରକୁ ଦୋଷ ନେବା ପାଇଁ ରାଜି ହେବେ? ଏଭଳି ବହୁ ପ୍ରଶ୍ନ ଉଠୁଥିବା ବେଳେ ଉତ୍ତର କାହା ପାଖରେ ନଥିବ। ତେଣୁ ବେଳ ହୁଁ ସତର୍କ ହେବା ସହ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଯଥାଶୀଘ୍ର କରାଯିବା ଉଚିତ ହେବ ବୋଲି ଚର୍ଚ୍ଚା ହେଉଛି।