ପତ୍ନୀକୁ ହତ୍ୟା କରି ପତି ଫେରାର୍

ଖୋର୍ଦ୍ଧା: ପତ୍ନୀର ଚରିତ୍ର ଉପରେ ସନ୍ଦେହର ପରିଣାମ କେତେ ଭୟଙ୍କର ହୋଇପାରେ ଆଜି ଗୁରୁଜଙ୍ଗରେ ଘଟିଥିବା ଏକ ହତ୍ୟା ଘଟଣାରୁ ତାହା ସ୍ପଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପତ୍ନୀକୁ ଶୋଇଥିବା ଅବସ୍ଥାରେ ତଣ୍ଟି କାଟି ପତି ଫେରାର୍ ହୋଇଯାଇଛି ।

ସୂଚନାନୁସାରେ, କାର୍ତ୍ତିକ ପ୍ରଧାନ(୪୦) ଓ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି (୩୬)ଙ୍କ ପରିବାର ପ୍ରାୟ ୪ ଦଶନ୍ଧୀ ଧରି ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଠାରେ ରହିଆସୁଛନ୍ତି । ଗୁରୁଜଙ୍ଗ ମାଳିସାହିରେ ଏକ ଭଡ଼ା ଘରେ କାର୍ତିକ ପ୍ରଧାନଙ୍କ ପରିବାର ରହୁଥିବା ବେଳେ ଇନ୍ଦିରାଙ୍କ ପରିବାର ପତିତପାବନ ଛକ ଜଗନ୍ନାଥ ମନ୍ଦିର ନିକଟରେ ଏକ ଭଡ଼ା ଘରେ ରହନ୍ତି । କାର୍ତିକ ପୂର୍ବେ ନିଜର ଜଣେ ସମ୍ପର୍କୀୟଙ୍କ ନିକଟରେ ସୁପରଭାଇଜର ଭାବେ କାମ କରୁଥିଲେ । ପରେ ମାଛ ବ୍ୟବସାୟ କରୁଥିଲେ ।

୨୦୦୫ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ୨-୩ ବର୍ଷ ପୂର୍ବେ କାର୍ତ୍ତିକ ତାଙ୍କ ପତ୍ନୀ ଇନ୍ଦିରାଙ୍କ ଚରିତ୍ର ଉପରେ ସନେ୍ଦହ କରିବା ଆରମ୍ଭ କରିଥିଲେ । ଏହାକୁ ନେଇ ପରିବାରରେ ଅଶାନ୍ତି ବଢ଼ିଥିଲା । ଏପରିକି ସେ ନିଜେ ଏକାଧିକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଫଳରେ ଅନେକ ସମୟରେ ଇନ୍ଦିରା ତାଙ୍କ ପତିଙ୍କ ନିକଟରେ ନରହି ତାଙ୍କ ମା’ଙ୍କ ନିକଟକୁ ଚାଲିଆସୁଥିଲେ । ୧୫ ଦିନ ପୂର୍ବେ ଇନ୍ଦିରାଙ୍କ ଗୋଡ଼ ଭାଙ୍ଗିଯାଇଥିଲା, ଏଣୁ ସେ ତାଙ୍କ ନିଜ ୧୪ ବର୍ଷର ପୁଅକୁ ସାଥିରେ ନେଇ ନିଜ ମା’ଙ୍କ ଘରକୁ ଚାଲିଆସିଥିଲେ ।

୬-୭ ଦିନ ପୂର୍ବେ କାର୍ତିକ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣିବାକୁ ଶାଶୁଙ୍କ ଘରକୁ ଯାଇଥିଲେ, କିନ୍ତୁ ଶାଶୁ ନିଜ ଝିଅକୁ ଛାଡ଼ିବାକୁ ଅମଙ୍ଗ ହେବା ସହ କାର୍ତିକଙ୍କୁ ତାଙ୍କ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଗତକାଲି କାର୍ତିକ ନିଜର ଶାଶୁଘରେ ପତ୍ନୀ, ପୁତ୍ର ଓ ଶାଶୁଙ୍କ ସହ ମିଶି ଖାଇଥିଲେ । ପତ୍ନୀ ଇନ୍ଦିରା ଓ ସେ ଏକ ପ୍ରକୋଷ୍ଠରେ ଶୋଇବାକୁ ଯାଇଥିଲେ ।

ରାତି ପ୍ରାୟ ୨ଟା ବେଳେ କାର୍ତିକ ନିଜ ଘର ମାଳିସାହିକୁ ଆସିଥିଲେ । ଭାଇ ଠାରୁ ମୋଟରସାଇକଲ ମାଗିଥିଲେ । ରାତିରେ ମୋଟର ସାଇକଲ ମାଗିବା ଓ ମାଗିବା ବେଳେ କାର୍ତିକ ଥରୁଥିବା ଦେଖି ଗାଡ଼ି ଦେବାକୁ ମନା କରିଦେଇଥିଲେ । ଏହାପରେ କାର୍ତିକ ସେଠାରୁ ଚାଲିଯାଇଥିଲେ । କାର୍ତିକଙ୍କ ବ୍ୟବହାରରେ ତାଙ୍କ ଭାଇଙ୍କ ସନେ୍ଦହ ସୃଷ୍ଟି ହେବାରୁ ସେ କାର୍ତିକଙ୍କ ଶାଶୁ ଘରେ ପହଂଚିଥିଲେ ଓ ସେଠାରେ ସେ ଶୋଇଥିବା ପ୍ରକୋଷ୍ଠର କବାଟ ଖୋଲିବା ପରେ ଇନ୍ଦିରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଗତକାଲି ରାତିରେ ପହଂଚି ତଦନ୍ତ କରିଥିବା ବେଳେ ଆଜି ସକାଳେ ଫରେନ୍ସିକ୍ ଟିମ୍ ପହଂଚି ପାରିପାଶ୍ୱିର୍କ ପ୍ରମାଣର ଯାଂଚ କରିଥିଲା । ଶବ୍ୟ ବ୍ୟବଚ୍ଛେଦ ହେବା ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏନେଇ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ଏନେଇ ଇନ୍ଦିରାଙ୍କ ମାମୁଁ କୈଳାସ ଚନ୍ଦ୍ର ହରିଚନ୍ଦନ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଭିତ୍ତିରେ ୪୦୨/୨୦୨୧ରେ ମାମଲା ରୁଜୁ କରାଯାଇଛି । କାର୍ତିକ ହିଁ ଘରେ ଥିବା ଏକ ଛୁରୀରେ ହତ୍ୟା କରିଛି ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ହତ୍ୟା କରିବା ପରେ କାର୍ତିକ ବାଡ଼ପଟ ଦେଇ ଚାଲିଯାଇଥିଲା । ତେବେ ହତ୍ୟା କରିଥିବା ସାମଗ୍ରୀ ଓ ହତ୍ୟାକାରୀ ଏଯାଏଁ ଧରାପଡ଼ିନାହାନ୍ତି । ପୁଲିସର ଏକ ଟିମ୍ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି । ତେବେ ଥାନାର ଜଣେ ଅଧିକାରୀଙ୍କ ସୂଚନାରେ, ପୁଲିସ ଅପରାହ୍ଣରେ କାର୍ତିକକୁ ଜଟଣୀ ନିକଟରୁ ଗିରଫ କରିଛି । ତେବେ ଏନେଇ ଅଧିକା ଅନୁସନ୍ଧାନ ଚାଲିଥିବାରୁ ଏନେଇ ସୂଚନା ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର