ଗୁରୁଜଙ୍ଗ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଆସାମୀ ସମେତ ୩ ଗିରଫ

ଭୟଭୀତ ନୁହେଁ ହତ୍ୟା କରିବାକୁ ଆସିଥିଲେ: ଏସ୍ପି ଆର୍କେ ଦୋରା

ଖୋର୍ଦ୍ଧା: ଗତକାଲି ଅପରାହ୍ନ ହୋଇଥିବା ଗୁରୁଜଙ୍ଗ ଦେୱାନ୍ ସାହି ଗୁଳିକାଣ୍ଡ ମାମଲାରେ ପୁଲିସ ମୁଖ୍ୟ ଆସାମୀ ରାମଚନ୍ଦ୍ର ଦାସ ସମେତ ୩ଜଣଙ୍କୁ ଗିରଫ କରିଛି । ତେବେ ନିଜର ଶାଶୁ, ଶ୍ୱଶୁର ଓ ପତ୍ନୀଙ୍କୁ ଭୟଭୀତ କରିବାକୁ ନୁହେଁ ନିଜର ସାଥୀଙ୍କୁ ନେଇ ସେମାନଙ୍କୁ ହତ୍ୟା କରିବା ଉଦେଶ୍ୟରେ ହିଁ ଗୁଳି ଚଳାଇଥିବା ଏସ୍ପି ରାଜକିଶୋର ଦୋରା କହିଛନ୍ତି ।

ଗିରଫ ହୋଇଥିବା ଗାନ୍ଧୀପଡ଼ିଆ ବସ୍ତିର ରାମଚନ୍ଦ୍ର ଦାସ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିଲା । ୨୦୧୧ ହଳଦିଆ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାରେ ଗିରଫ ହୋଇ ନିକଟରେ ଜାମିନରେ ଆସିଥିଲା । ଏହାପରେ ଅନ୍ୟ ଏକ ମହିଳା ସହ ଅଲଗାରେ ରହୁଥିଲା । ଏହାକୁ ନେଇ ରାମଚନ୍ଦ୍ରର ପ୍ରଥମ ପତ୍ନୀ ସହ ବିବାଦ ହେଉଥିଲା । ଚଳିତ ମାସ ୭ ତାରିଖରେ ଏକ ବିବାହ ଭୋଜିରେ ରାମଚନ୍ଦ୍ରର ଶ୍ୱଶୁର ହରି ବେହେରା ଓ ଶାଶୁ କାଂଚନ ବେହେରା ରାମଚନ୍ଦ୍ରଙ୍କୁ ସମସ୍ତଙ୍କ ଆଗରେ ଗାଳିଗୁଲଜ କରିଥିଲେ । ଏହି ସମୟରେ ରାମଚନ୍ଦ୍ର ସେମାନଙ୍କୁ ପ୍ରାଣରେ ମାରିଦେବାକୁ ଧମକ ଦେଇ ଚାଲିଯାଇଥିଲା ।ଗତକାଲି ନିଜର ୨ ଅପରାଧୀ ସାଥୀଙ୍କୁ ନେଇ ହରି ବେହେରାଙ୍କ ଘରକୁ ଆସି ଗୁଳି ମାଡ଼ କରିଥିଲା । ଯେଉଁଥିରେ ଶାଶୁ କାଂଚନ ବେହେରା ଅଳ୍ପକେ ବର୍ତି ଯାଇଥିଲେ ।

କାଂଚନ ବେହେରାଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ୫୬/୨୦୨୧ରେ ଏକ ମାମଲା ରୁଜୁ କରିଥିଲା । ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ୍ୟ କରି ଏସ୍ପି ଦୋରା ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଟାଉନ୍ ଥାନା ଆଇଆଇସି ଉମାଶଙ୍କର ସିଂହ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ର ଦାସ ସହ ଅନ୍ୟ ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ କାଇପଦରର ବିଶ୍ୱଜିତ ବାରିକ ଓରଫ ମୁନା(୨୮), ରଣପୁର ମଧୁପୁରର ଅନନ୍ତ କୁମାର ମାଛୁଆ ଓରଫ ମଣି (୨୮) । ମାମଲା ସମ୍ପର୍କରେ ଆଜି ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ବିଶ୍ୱଜିତ ବାରିକ ବିରୋଧରେ ପୂର୍ବରୁ, ୨୦୧୩ରେ ଜଙ୍କିଆ ଥାନା, ୨୦୧୩ରେ ଖୋର୍ଦ୍ଧ ଟାଉନ୍ ଥାନା, ୨୦୨୦ରେ ଜଟଣୀ ଥାନାରେ ତିନିଟି ମାମଲା ରହିଛି । ଅନନ୍ତ କୁମାର ମାଛୁଆ ନାମରେ ୨୦୧୫ରୁ ଖୋର୍ଦ୍ଧା ଟାଉନ୍ ଥାନା, ଖୋର୍ଦ୍ଧା ସଦର ଥାନା, ରଣପୁର, ଖଲିକୋଟ ଆଦି ଥାନାରେ ୯ଟି ମାମଲା ରହିଥିବା ବେଳେ ୨ଟି ମାମଲାରେ ଜାମିନ ବିହୀନ ପରୱାନା ଜାରି କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଖାଲି ମାଗାଜିନ୍, ୨ଟି ଖୋଖା, ଗୋଟିଏ ୬ ରାଉଣ୍ଡ ରିଭଲଭର ସହ ଅଫୁଟା ଗୁଳି, ଗୋଟିଏ ପିସ୍ତଲସହ ୨ଟି ଅଫୁଟା ଗୁଳି, ୭ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଅପରାଧୀଙ୍କ ନିକଟକୁ ଏଭଳି ଅତ୍ୟାଧୁନିକ ବନ୍ଧୁକ କିଭଳି ଆସିଲା ଓ ଏହି ଗ୍ୟାଙ୍ଗରେ ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ଏସ୍ପି ଦୋରା କହିଛନ୍ତି ।

ସମ୍ବନ୍ଧିତ ଖବର