ଗୁରୁଣ୍ଡିଆ: ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗୁରୁଣ୍ଡିଆ ବ୍ଲକ୍‌ରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅତି ଦୁର୍ବଳ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାଙ୍ଗକୁ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଏକ ନିୟମିତ ଧାରାରେ ପରିଣତ ହୋଇଛି। କଦବା କ୍ବଚିତ୍ ଡାକ୍ତର ନିଯୁକ୍ତ ହେଲେ ସେ ଉଚ୍ଚଶିକ୍ଷା ପାଇଁ ଚାଲିଯାଉଛନ୍ତି। ତେଣୁ ବ୍ଲକ୍‌ର ସ୍ବାସ୍ଥ୍ୟସେବା ଭଗବାନଙ୍କ ଭରସାରେ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Advertisment

ବ୍ଲକ୍‌ ଅନ୍ତର୍ଗତ ୧୩ ପଞ୍ଚାୟତର ୧୪୪ଟି ଗ୍ରାମରେ ଲୋକସଂଖ୍ୟା ଲକ୍ଷାଧିକ। ସେମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବାଙ୍କି, ତାମଡ଼ା, ସୋଲ ଓ ଜର୍ଡାରେ ୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଗୁରୁଣ୍ଡିଆ ସଦର ମହକୁମାରେ ରହିଛି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର। କିଛିଦିନ ପୂର୍ବରୁ ନୂଆକୋଠାକୁ ସ୍ଥାନାନ୍ତର ହୋଇଥିବା ଏହି ଡାକ୍ତରଖାନା ଉପର ଚକ୍ ଚକ୍ କିନ୍ତୁ ଭିତର ଫମ୍ପା। ଡାକ୍ତରଖାନାର ଜେନେରେଟର ଓ ଇନ୍‌ଭର୍ଟର କାମ କରୁନି। ତେଣୁ ରୋଗୀମାନେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି।(ଏ ସମ୍ପର୍କିତ ଏକ ଫଟୋ ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଛି)। କେତେବେଳେ ଟର୍ଚ୍ଚ ଆଲୋକରେ ରୋଗୀସେବା କରାଯାଉଛି। ନୂଆକୋଠାରେ ସବୁକିଛି ସ୍ୱାଭାବିକ ଚାଲିବା ଆଶା ମଉଳି ଯାଇଛି। ଏଠାରେ ସ୍ଥାୟୀ ଅଧୀକ୍ଷକ ନ ଥିବା ଯୋଗୁ ସବୁକିଛି ଢିଲାରେ ଚାଲିଛି। ଡାକ୍ତରଖାନାରେ ଭେଷଜ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଦାନ୍ତ ଓ ଶିଶୁ ବିଶେଷଜ୍ଞ ରହିବା କଥା। ମାତ୍ର ବର୍ତ୍ତମାନ ଦୁଇଜଣ ଏମ୍‌ବିବିଏସ୍‌, ଡିଏମ୍‌ଏଫ୍‌ ପାଣ୍ଠିରୁ ନିଯୁକ୍ତ ଅବସରପ୍ରାପ୍ତ ଶଲ୍ୟ ଓ ଭେଷଜ ବିଶେଷଜ୍ଞ ଏବଂ ଦୁଇଜଣ ଆୟୁଷ ଡାକ୍ତର ଅଛନ୍ତି। ଡାକ୍ତରଖାନାରେ ଆବଶ୍ୟକ ଷ୍ଟାଫ୍‌ ନର୍ସ ଓକର୍ମଚାରୀ ନାହାନ୍ତି। ମାସକୁ ଏହି ଡାକ୍ତରଖାନାରେ ୫୦ରୁ ଅଧିକ ଶିଶୁ ଜନ୍ମ ହେଉଛନ୍ତି। ଏଥିପାଇଁ ଡାକ୍ତର ତ ଦୂରର କଥା ଜଣେ ମାତ୍ର ଷ୍ଟାଫ୍‌ ନର୍ସ ଅଛନ୍ତି। ଚକ୍ଷୁ ବିଭାଗ ପାଇଁ ସ୍ୱତନ୍ତ୍ର ଯନ୍ତ୍ରାଂଶ ରହିଛି ହେଲେ ଡାକ୍ତର ନ ଥିବାରୁ ବିଭାଗ କାମ କରୁନାହିଁ।

ଡାକ୍ତରଖାନାଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୧୦ ଜଣ ଲେଖାଏଁ ପୁରୁଷ ଓ ମହିଳା ଶଯ୍ୟାରେ ଚିକିତ୍ସିତ ହୋଇପାରିବେ। ଫଳରେ ଗରିବଲୋକେ ବହୁତ ଉପକୃତ ହୋଇପାରିବେ। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବାଙ୍କି, ତାମଡ଼ା, ସୋଲ ଓ ଜର୍ଡା ଆଦି ୪ଟିଯାକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଛି। କେଉଁଠି ଫାର୍ମାସିଷ୍ଟ ତ କେଉଁଠି ଆୟୁଷ ଡାକ୍ତରଙ୍କ ଭରସାରେ ଏହି ଡାକ୍ତରଖାନାଗୁଡ଼ିକ ଚାଲିଥିଲା। ମାସେ ହେବ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତ ହୋଇଛନ୍ତି। ତେବେ ସେମାନେ ଉଚ୍ଚଶିକ୍ଷା ପାଇଁ ଚାଲିଗଲେ ପରିସ୍ଥିତି ପୁଣି ଯେଉଁ ତିମିରେକୁ ସେହି ତିମିରେ। ଅନ୍ୟପକ୍ଷରେ ଡାକ୍ତର ଅଭାବ ଯୋଗୁ ସ୍ଥାନୀୟଲୋକେ କ୍ବାକ୍‌ମାନଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ସବୁ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର, କର୍ମଚାରୀ ନିଯୁକ୍ତି ସହ ଭିତ୍ତିଭୂମି ସଜାଡ଼ିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏ ବାବଦରେ ମତାମତ ପାଇଁ ଭାରପ୍ରାପ୍ତ ଅଧିକାରୀଙ୍କୁ ମୋବାଇଲ୍‌ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନଥିଲେ ଓ ଅନ୍ୟ ଅଧିକାରୀମାନେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ।