ଐତିହାସିକ ହାଡ଼ଗାଡ଼ିଆ ପୋଖରୀ ଏବେ ପରିତ୍ୟକ୍ତ  

ସିକୋ: ସିକୋ ଦେଇ ଯାଇଥିବା ନୂଆ ଜଗନ୍ନାଥ ସଡ଼କ ପାଶ୍ୱର୍ରେ ରହିଥିବା ପ୍ରାୟ ତିନି ଶହ ବର୍ଷର ପୁରାତନ ହାଡ଼ଗାଡ଼ିଆ ପୋଖରୀ ବର୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଛି ।
ଅଂଚଳର ଇତିହାସ ଓ ବିଭିନ୍ନ ପରଂପରା ସହ ହାଡ଼ ଗୋଡ଼ିଆ ପୋଖରୀ ସମ୍ପୃକ୍ତ । ଏପରିକି ପାଇକ ସଂଗ୍ରାମ ସମୟରେ ଏହି ପୋଖରୀକୁ ଉଭୟ ପାଇକ ଓ ବ୍ରିଟିଶ୍ ସେନା ବ୍ୟବହାର କରିଥିବା ବିବରଣୀ ସ୍ଥାନ ପାଇଛି । ଏହି ପୋଖରୀର ବୈଶିଷ୍ଟ ହେଲା, ଗ୍ରୀଷ୍ମ ଋତୁରେ ଆଖପାଖର ସମସ୍ତ ଜଳାଶୟର ଜଳସ୍ତର ହ୍ରାସ ପାଇବା ଓ ଶୁଖିଯାଉଥିବା ବେଳେ ଏହି ପୋଖରୀର ଜଳସ୍ତରରେ ବିଶେଷ ପରିବର୍ତନ ହୋଇନଥାଏ ।

ଏହି ପୋଖରୀ ଉପରେ ଆଖପାଖର ଶତାଧି ଲୋକ ନିର୍ଭର କରିଥାନ୍ତି । କେବଳ ଏହାନୁହେଁ ପ୍ରତିବର୍ଷ ପଂଚାୟତ ପକ୍ଷରୁ ନିଲାମ ଦିଆଯାଇ ଏହାଠାରୁ ଲକ୍ଷାଧିକ ଟଙ୍କା ଆୟ ମଧ୍ୟ କରାଯାଉଛି । ଏପରିସ୍ଥଳେ ପୋଖରୀର ପୁନରୁଦ୍ଧାର, ପଙ୍କ ଓ ଦଳ ଉଦ୍ଧାର ପାଇଁ ପଂଚାୟତ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରାଯାଉନାହିଁ । ଫଳରେ ପୋଖରୀଟି ପଙ୍କ ଓ ଦଳରେ ପୂର୍ଣ୍ଣ ହୋଇ ନଷ୍ଟ ହେବାକୁ ବସିଛି । ଏଣୁ ପ୍ରଶାସନ ପକ୍ଷରୁ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର