ଯୁବକଙ୍କ ଗୋଡ଼ରେ ଚଢ଼ିଗଲା ହାଇୱା, ଚାଳକ ଅଟକ

ବାଲିଅନ୍ତା: ହଂସପାଳ-ଜୟଦେବ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଜୟଦେବ ସେତୁ ଓଭରବ୍ରିଜ ନିକଟରେ ଆଜି ପୂର୍ବାହ୍ନରେ ମେଣ୍ଟାଲ ନେଇ ଦ୍ରୁତବେଗରେ ଯାଉଥିବା ଏକ ହାଇୱା ଗାଡ଼ି ଜଣେ ବାଇକ ଆରୋହୀଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ସେ ଗୁରତର ଆହତ ହୋଇଛନ୍ତି। ଘଟଣାରେ ପୁଲିସ ହାଇୱା ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି। ଆହତ ବାଇକ ଆରୋହୀଙ୍କ ପ୍ରକୃତ ପରିଚୟ ଓ ଠିକଣା ରିପୋର୍ଟ ଲେଖାହେବା ସୁଦ୍ଧା ମିଳିପାରି ନାହିଁ। କିନ୍ତୁ ତାଙ୍କ ଘର ଜଗତସିଂହପୁର ଥାନା ଅନ୍ତର୍ଗତ ନାଉଗାଁ ବୋଲି କୁହାଯାଉଛି। ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପ୍ରଥମେ ଅଡ଼ଶପୁର ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବାଲିଅନ୍ତା ଥାନା ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଥାନାକୁ ନେଇଯାଇଥିଲା। ପ୍ରାପ୍ତ ସୂଚନା ମୁତାବକ ବାଇକ ଆରୋହୀ ପତୁରିଆ ଛକ ଅଭିମୁଖେ ଯାଉଥିବା ବେଳେ ଓଭରବ୍ରିଜ ଉପରକୁ ଉଠୁଥିବା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରୁ ଛିଟିକିପଡ଼ି ସେ ଗୁରୁତର ଆହତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ତାଙ୍କର ଡାହାଣପଟ ଗୋଡ଼ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଇଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ହାଇୱା ଚାଳକଙ୍କୁ କାବୁକରି ନେଇ ନିସ୍ତୁକ ମାଡ଼ମାରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର