ପୁଲିସ ଅଧିକାରୀଙ୍କ ମାଡ଼ରେ ହାଇୱା ଡ୍ରାଇଭର ଗୁରୁତର

ବାଲିଅନ୍ତା: ସ୍ଥାନୀୟ କାକରୁଦ୍ରପୁର ପୋଲ ନିକଟରେ ଗତ ରାତିରେ ପାଟ୍ରୋଲିଂ କରୁଥିବା ପିସିଆର ଗାଡ଼ିରେ କାର୍ଯ୍ୟରତ  ଜଣେ ପୁଲିସ ଅଧିକାରୀଙ୍କ ମାଡ଼ରେ ଜଣେ ହାଇୱା ଚାଳକ ଗୁରୁତର ଆହତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆହତ ଚାଳକ ହେଲେ ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳର ଲିଟୁ ସ୍ବାଇଁ (୩୦) । ଲିଟୁଙ୍କ ଗୋଡ଼ , ହାତ , ଛାତି ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଖବର ପାଇ ହାଇୱା ମାଲିକ ଆହତ ଲିଟୁଙ୍କୁ ଉଦ୍ଦାର କରି ଚିକିତ୍ସା ଲାଗି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଗୋଡ଼ ବ୍ୟାଣ୍ଡେଜ ହୋଇଥିବା ବେଳେ ଶରୀର କ୍ଷତାକ୍ତ ହୋଇଛି । ଖବର ପାଇ ଲିଟୁଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳୀ ଓ କୁନି ଝିଅ ହସ୍ପିଟାଲରେ ପହଞ୍ଚିଥିଲେ ।

ଏନେଇ ଶ୍ରଦ୍ଧାଞ୍ଜଳୀ ଆଜି ଅପରାହ୍ନରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ହସ୍ପିଟାଲରେ ପହଞ୍ଚି ତଦନ୍ତ କରାଇଛନ୍ତି । ହେଲେ ରିପୋର୍ଟ ଲେଖା ହେବା ବେଳକୁ ଥାନାରେ ଏନେଇ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି । ରାକେଶ ସାମନ୍ତରାୟ ନାମକ ଜଣେ ପୁଲିସ ଅଧିକାରୀ ମାଡ଼ମାରି ଥିବା ଅଭିଯୋଗରେ ଦର୍ଶାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ପିସିଆର ଗାଡ଼ି କାକରୁଦ୍ରପୁର ଏବଂ ପ୍ରତାପରୁଦ୍ରପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଲିଟୁ ହାଇୱାରେ ବାଲିନେଇ ଯାଉଥିବା ବେଳେ କାକରୁଦ୍ରପୁର ବ୍ରିଜ ନିକଟରେ ପିସିଆର ଭ୍ୟାନରେ ଥିବା ସଂପୃକ୍ତ ପୁଲିସ ଅଧିକାରୀ ତାଙ୍କୁ ଅଟକାଇ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରିଥିଲେ । ୱାଇ ଫର୍ମ ଦେଖାଇବାକୁ ତାଙ୍କୁ କହିଥିଲେ । ହେଲେ ଲିଟୁ ଗାଡ଼ିର ସମସ୍ତ କାଗଜପତ୍ର ଓ ୱାଇଫର୍ମ ତାଙ୍କୁ ଦେଖାଇବା ସତ୍ବେ ୧୦୦୦ ଟଙ୍କା ଜରିମାନା ମାଗିଥିଲେ । ଏନେଇ ଲିଟୁ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ  ତାଙ୍କୁ ବାଡ଼ିରେ ପିଟି ଆହତ କରିଥିବା ଏତଲାରେ ଉଲ୍ଲେଖ ହୋଇଛି ।

ସମ୍ବନ୍ଧିତ ଖବର