ବାରିପଦା: ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଉନ୍ନତ କିସମର ହଳଦୀ ଚାଷ ପାଇଁ ସାରସକଣା ବ୍ଲକ ଅନ୍ତର୍ଗତ ପୁରୁଣିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ୭୦ ଜଣ ଆଦିବାସୀ ବର୍ଗର ହଳଦୀ ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଛି । ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ବିଭାଗର ମିଶନ ଜିବୀକା ଯୋଜନାରେ ସାରସକଣା ବ୍ଲକ ଅନ୍ତର୍ଗତ ପୁରୁଣିଆ ଗ୍ରାମ ପଞ୍ଚାୟତର କୁଲ୍ଡିହା, ପାକଟିଆ, ମୁଣ୍ଡାବଣୀ ଓ ଡମଣସାହି ଗ୍ରାମର ଆଦିବାସୀ ବର୍ଗର ଚାଷୀମାନଙ୍କୁ ପ୍ରତ୍ୟେକଙ୍କୁ ୫୦ ଡିସିମିଲ୍ ଜମିରେ ହଳଦୀ ଚାଷ ପାଇଁ ମୋଟ୍ ୩ କ୍ୱିଇଣ୍ଟାଲ ଉନ୍ନତ କିସମର ହଳଦୀ ବିହନ ବଣ୍ଟନ କରାଯାଇଛି । ପର୍ଯ୍ୟାୟକ୍ରମେ ଉକ୍ତ ଚାଷୀମାନଙ୍କୁ ସାର ମଧ୍ୟ ଯୋଗାଇ ଦିଆଯିବ ।
ସେହିପରି ବିଭାଗ ପକ୍ଷରୁ ଆଦିବାସୀ ମକା ଚାଷୀମାନଙ୍କୁ ଉନ୍ନତ ମାନର ମକା ମଞ୍ଜି ବିହନ ବଣ୍ଟନ କରାଯାଇଛି । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମ ପଞ୍ଚାୟତର ଚାନ୍ଦ୍ବିଲ୍, ଭାଗିରଥିପୁର, ବାଉଟିଆ ଓ ବାସିକିତୋଳା ଗ୍ରାମର ୫୬ଜଣ ଆଦିବାସୀ ଚାଷୀମାନଙ୍କୁ ୫୦ ଡେସିମିଲ୍ ଜମିରେ ମକା ଚାଷ କରିବା ନିମନ୍ତେ ୨ କେ.ଜି ଓଜନର ଉନ୍ନତ କିଷମର ମକା ବିହନ କିଟ୍ ଯୋଗାଇ ଦିଆଯାଇଅଛି । ବାରିପଦା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ବସନ୍ତ କୁମାର ସେଠୀ, ପ୍ରକଳ୍ପ ପରିଚାଳକ ଓ ଜୀବିକା ବିଶେଷଜ୍ଞ ପ୍ରମୁଖ ସମେତ ଏସଏମଏସ ତଥା ସଂପୃକ୍ତ ବିଭାଗ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।