ରାଉରକେଲା: ପାନୀୟ ଜଳ ପାଇଁ ବସ୍ତିବାସିନ୍ଦାଙ୍କୁ ଯିବାକୁ ପଡୁଛି ପ୍ରାୟ ଅଧ କିଲୋମିଟର। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏମିତି ସମସ୍ୟା ଭୋଗୁଛନ୍ତି ପ୍ରାୟ ୧୦୦ ପରିବାର। ଏମିତି ବିକଳ ଚିତ୍ର ଜିଲ୍ଲାର କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ସ୍ମାର୍ଟ ସିଟି ରେଲୱେ କଲୋନି ବିବେକାନନ୍ଦପାଲୀର। ବସ୍ତିରେ ଏକମାତ୍ର ନଳକୂପ ଅଚଳ ହୋଇପଡିଛି। ମରାମତି ହେଉନି।
ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଆଜିକାଲି ଦିନ ପରେ ଦିନ ଗଡାଇ ଚାଲିଛନ୍ତି। ପାଇପ ଜଳ ପାଇବାକୁ ବର୍ଷକ ତଳେ ବସ୍ତିବାସିନ୍ଦା ଆବେଦନ କରିଥିଲେ। ବିଭାଗୀୟ ଅଧିକାରୀ ଏ ସଂକ୍ରାନ୍ତରେ କିଛି ଜାଣି ନାହାନ୍ତି। ପ୍ରତିବାଦରେ ବସ୍ତିର ଆଜି ମହିଳାପୁରୁଷ ଉଦିତନଗର ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଶ ଚନ୍ଦ୍ର ରାଉତଙ୍କୁ ସାକ୍ଷାତ କରି ତୁରନ୍ତ ପାଇପ୍ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି।
ବାସନ୍ତି ମଣ୍ଡଳ ସଭାପତି ହିରୋଜ କୁମାର ରାୟ, ପୂର୍ବତନ ମହିଳା ମୋର୍ଚ୍ଚା ସାଭନେତ୍ରୀ ସଂଯୁକ୍ତା ମିଶ୍ରଙ୍କ ନେତୃତ୍ବରେ ପ୍ରତିନିଧି ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବସ୍ତିବାସିନ୍ଦାଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ବିକେନାନ୍ଦପାଲୀ ବସ୍ତିରେ ୧୦୦ରୁ ଅଧିକ ପରିବାର ରହୁଛନ୍ତି। ବସ୍ତି ଚତୁଃପାର୍ଶ୍ବ ଅନ୍ୟ ବସ୍ତିବାସିନ୍ଦାଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପାନୀୟ ଜଳ ପାଇଁ ସେମିତି କିଛି ସୁବିଧା ନଥିବାରୁ ଦୈନନ୍ଦିନ ଅଧ କିଲୋମିଟର ଚାଲି ଚାଲି ନିକଟ ବସ୍ତି ଓ ରେଲୱେ କଲୋନିରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି।