ମାଲକାନଗିରି: ପଙ୍ଗୁ ଲଂଘୟତେ ଗିରି’ ଏହି ଉକ୍ତିକୁ ଠିକ ବୋଲି ପ୍ରମାଣିତ କରିଛନ୍ତି ମାଲାକନଗିରି ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିର ଅନନ୍ତ ରାମ ପାଙ୍ଗି। ଅନନ୍ତ ପିଲାଟି ଦିନରୁ ଦୁଇଟି ଆଖି ହରାଇଛନ୍ତି। ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ସାଧାରଣ ମଣିଷ ଭଳି ସମସ୍ତ କାମ ଠିକ ଠିକ କରିପାରନ୍ତି। ବଣ୍ଡାଘାଟିର ପାତ୍ରପୁଟ ଗ୍ରାମରେ ସେ ବାସ କରନ୍ତି। ନିଜର ବୋଲି ଅନନ୍ତର କେହି ନଥିବା ବେଳେ ଏକ କୁଡିଆ ଘରେ ସେ ରୁହନ୍ତି।
ରୋଜଗାର କହିଲେ ଗୀତ ଗାଇ ସେ ଯାହା ମିଳେ ସେତିକିରେ ସେ ଚଳନ୍ତି। ଖଇରପୁଟ ବ୍ଲକର ବିଭିନ୍ନ ଗ୍ରାମରେ ସେ ଘୁରି ବୁଲୁଥିବା ଦେଖିବାକୁ ମିଳେ। ଅନନ୍ତଙ୍କ ପାଖରେ ଥାଏ ଖଞ୍ଜଣି। ଯାହାକୁ ବଜାଇ ସେ ଭଜନ ଗୀତ ସହ ଏକାଧିକ ଲୋକ ଗୀତ ଗାଇ ଲୋକଙ୍କୁ ଆନନ୍ଦ ପ୍ରଦାନ କରିଥାନ୍ତି। ପାରମ୍ପରିକ ଲୋକଗୀତକୁ ଖଞ୍ଜଣି ବଜାଇ ଗାଇଥାନ୍ତି। ତାଙ୍କ ପାଖରେ ଶହ ଶହ ଭଜନ ଓ ଲୋକଗୀତ ରହିଛି। ଲୋକେ ଯେଉଁ ଗୀତ ଶୁଣିବାକୁ ଚାହାନ୍ତି ସେ ସେହି ଗୀତ ତୁରନ୍ତ ଶୁଣାଇ ଦେଇଥାନ୍ତି।
ଲୋକେ ଖୁସି ହୋଇ ତାଙ୍କୁ ଟିକା କିମ୍ବା ଚାଉଳ ବଢାଇ ଦେଇଥାନ୍ତି। ଯେଉଁ ଗୀତକୁ ସେ ଥରେ ଶୁଣନ୍ତି ତାକୁ ମନେ ରଖିଦିଅନ୍ତି।ବର୍ତ୍ତମାନ ଅନନ୍ତଙ୍କୁ ୫୫ ବର୍ଷ ହେବ। ବୟସର ଅପରାହ୍ନରେ ପହଞ୍ଚିଯାଇଥିଲେ ମଧ୍ୟ ସେ ଏବେ ବି ନିଜର ସମସ୍ତ କାର୍ଯ୍ୟ ନିଜେ କରନ୍ତି। କାହାରି ଉପରେ ନିର୍ଭର କରନ୍ତି ନାହିଁ। ଯେପରି ନଦୀରୁ ପଣି ଆଣିବା ହେଉ ବା ନିଜ ପାଇଁ ରୋଷେଇ କରିବା। ସବୁ କାମ ସେ ନିଜେ କରିଥାନ୍ତି ।ଜଂଗଲରୁ କାଠ ଆଣିବାରେ ମଧ୍ୟ ସେ ସିଦ୍ଧ ହସ୍ତ।
ଏସବୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଅନନ୍ତ ଦିବ୍ୟାଙ୍ଗ ହୋଇ ବି କିପରି ଜଣେ ସାଧାରଣ ମଣିଷ ଭଳି କାମ କରିବା ଏବଂ ନିଜ ପାଇଁ ଦାନା ଯୋଗାଡ କରିବା ଅନ୍ୟ ସକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ବଡ ଉଦାହରଣ ବୋଲି କୁହାଯାଇଛି। ଅନନ୍ତ ଗୀତ ଗାଇ ଗାଇ ଗ୍ରାମରେ ପଶିଲା ମାତ୍ରେ ଲୋକେ ଅନନ୍ତ ଆସିବାର ଜାଣିପକାନ୍ତି। ଦିନସାରା ଗାଁ ଗାଁ ବୁଲିବା ପରେ ଯାହା ମିଳେ ତାହା ଧରି ରାତିରେ ଘରକୁ ଫେରିଥାନ୍ତି। ଭଗବାନ ତାକୁ ଯେଭଳି ଗଢିଛନ୍ତି ସେଥିରେ ସେ ଖୁସି ବୋଲି କହନ୍ତି ଅନନ୍ତ।
କାହାରି ଉପର ସେ ରାଗନ୍ତି ନାହିଁ। ଅନନ୍ତଙ୍କ ପରିବାର କହିଲେ ସାତ ଖଣ୍ଡ ପଞ୍ଚାୟତର ଗ୍ରାମବାସୀ। ସେମାନେ ପ୍ରତିଦିନ ଅନନ୍ତଙ୍କୁ ସହଯୋଗର ହାତ ବଢାଇଥାନ୍ତି। ପ୍ରଶାସନ ତରଫରୁ ଅନନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି। ଗାଁ ଗାଁ ଗୀତ ଗାଇ ବୁଲିଲେ ଖାଇବାକୁ ମିଳେ। ତେଣୁ ପ୍ରଶାସନ ତରଫରୁ ତାଂକୁ କିପରି ଖାଇବାକୁ ମିଳିବ ସେନେଇ ପଦକ୍ଷେପ ନେବାକୁ ଦାବି ହୋଇଛି।