କରୋନା ଦୁଃଖ; ଅଟକି ରହିଛି ୧୧ ହଜାରରୁ ଉର୍ଦ୍ଧ ଭିନ୍ନକ୍ଷମ ପ୍ରମାଣପତ୍ର ଆବେଦନ

ଖୋର୍ଦ୍ଧା: କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଧିମେଇ ଯାଇଛି। ଏପରିକି ଅତ୍ୟାବଶ୍ୟକୀୟ ପ୍ରମାଣପତ୍ର ମିଳିବାରେ ମଧ୍ୟ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଘଟଣାକ୍ରମରେ, ଜିଲ୍ଲାରେ ୧୧ହଜାରରୁ ଉର୍ଦ୍ଧ ଭିନ୍ନକ୍ଷମ ପ୍ରମାଣପତ୍ର ନପାଇ ସରକାରଙ୍କ ଅନେକ ସୁବିଧାସୁଯୋଗ, ଭତ୍ତା ଆଦିରୁ ବଂଚିତ ହେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୭ ଅଗଷ୍ଟ ମାସରୁ ଅନ୍‌ଲାଇନ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ।

୨୦୧୭-୧୮ରେ ୧୦,୬୧୦ଟି ଆବେଦନ ପଂଜୀକୃତ ହୋଇଥିବା ବେଳେ ୬୧୨ଟି ପ୍ରମାଣପତ୍ର ଦିଆଯାଇଥିଲା। ୨୦୧୮-୧୯ ବର୍ଷରେ ୧୭,୮୭୭ଟି ୟୁଡିଆଇଡି ଆବେଦନ ପଂଜୀକୃତ ହୋଇଥିବା ବେଳେ ୫୪୯୬ଟି ପ୍ରମାଣପତ୍ର ଦିଆଯାଇଥିଲା। ମାର୍ଚ୍ଚ ୨୦୨୦ ପୂର୍ବରୁ ନିୟମିତ ଭାବେ ସପ୍ତାହକୁ ୪ଟି ବୋର୍ଡ ଅର୍ଥାତ୍ ମାସକୁ ୧୬ଟି ବୋର୍ଡ ବସି ୨୦୦ରୁ ୩୦୦ ପ୍ରମାଣପତ୍ର ଦିଆଯାଉଥିଲା। କିନ୍ତୁ ୨୦୨୦ ମାର୍ଚ୍ଚ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଆବେଦନ ଓ ଆବେଦନ ବାବଦକୁ ପଂଜୀକରଣ ଓ ପ୍ରମାଣପତ୍ର ପ୍ରଦାନ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।

ଅନୁସନ୍ଧାନରୁ ଜଣାଯାଇଛି ଯେ ଅଗଷ୍ଟ ୨୦୧୭ରୁ ୧୨ ଜୁଲାଇ ୨୦୨୧ ସୁଦ୍ଧା ୧୧ହଜାରରୁ ଉର୍ଦ୍ଧ ଭିନ୍ନକ୍ଷମ ଆବେଦନ ବାବଦକୁ ପ୍ରମାଣପତ୍ର ଦିଆଯାଇ ପାରିନାହିଁ। ଏହା ମଧ୍ୟରେ ୫୫୦୦ଟି ନବୀକରଣ ଆବେଦନ ଅଟେ। ୨୦୨୦ ମାର୍ଚ୍ଚ ମାସରୁ ବର୍ତମାନ ସୁଦ୍ଧା ପ୍ରାୟ ୨ହଜାର ଆବେଦନ ଆସିଛି। କରୋନା କଟକଣା ଯୋଗୁଁ ୨୦୨୦-୨୧ରେ ମାସକୁ ୨୦ରୁ ୩୦ ପ୍ରମାଣପତ୍ର ଦିଆଯାଇଥିଲା। ବର୍ତମାନ ଗତ ୪ ମାସ ଏହା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ଜୁନ୍ ମାସରେ ଅଳ୍ପ କିଛି ଆବେଦନକାରୀଙ୍କୁ ପ୍ରମାଣପତ୍ର ଦିଆଯାଇଛି। ପୂର୍ବେ ଯେତେବେଳେ ପ୍ରତ୍ୟକ୍ଷ ଭାବେ ଆବେଦନ ହେଉଥିଲା ସେ ସମୟରେ ୩ଜଣ ଡାକ୍ତର ଓ ସିଡିଏମ୍ଓଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଉଥିଲା। ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହାକୁ ସରଳ କରାଯାଇ ଜଣେ ବିଭାଗୀୟ ଡାକ୍ତର ଯାଂଚ ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟ କରୁଛନ୍ତି।

ଅର୍ଥାତ୍ ଚକ୍ଷୁ-ନାସା-ଗଳା ପାଇଁ ଜଣେ ଡାକ୍ତର, ଶାରୀରିକ ବିକଳାଙ୍ଗ ପାଇଁ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ପରୀକ୍ଷା କରି ପ୍ରମାଣପତ୍ର ଦେଇଥାନ୍ତି। କିନ୍ତୁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସ୍ୱେଚ୍ଛାକୃତ ଅବସର ନେବା ପରେ ଗତ ୪ ମାସ ଧରି ପ୍ରମାଣପତ୍ର ପ୍ରଦାନ ପ୍ରାୟତଃ ବନ୍ଦ ରହିଛି। ଏନେଇ ହସ୍ପିଟାଲରେ ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରିବାରେ ଜଣାଯାଇଛି ଯେ ଗତ କିଛି ଦିନ ପୂର୍ବେ ଜଣେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଖୁବ୍‌ଶୀଘ୍ର ଏହି ପ୍ରମାଣପତ୍ର ପ୍ରଦାନ ପାଇଁ ବୋର୍ଡ ଗଠନ କରାଯିବ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ସମ୍ପର୍କରେ ପଚାରିବାରେ ସେ କହିଛନ୍ତି ଯେ ଏହି ସମସ୍ୟାକୁ ନେଇ ସେ ମଧ୍ୟ ଚିନ୍ତିତ। ୨୦୨୧ ଜାନୁଆରେ କରୋନା ସଂକ୍ରମଣ ହ୍ରାସ ଓ କଟକଣା କୋହଳ ହେବା ପରେ ଅଧିକ ସଂଖ୍ୟକ ପ୍ରମାଣପତ୍ର ଦେବା ପାଇଁ ଯୋଜନା ହୋଇଥିଲା। ଦୁଇମାସ ସୁରୁଖୁରୁରେ ଚାଲିଥିଲା, କିନ୍ତୁ ପୁଣି କରୋନା ଦ୍ୱିତୀୟ ଲହର ଯୋଗୁଁ ଏଥିରେ ପୁଣି ବ୍ୟାଘାତ ହେଲା। ଏପରିକି କରୋନା ପୂର୍ବରୁ ଏନେଇ ବିଭିନ୍ନ ସ୍ଥାନରେ ଚିହ୍ନଟ ଓ କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆୟୋଜନ କରାଯାଉଥିଲା। କରୋନା ହେତୁ ତାହା ମଧ୍ୟ ବନ୍ଦ ରହିଛି। କଟକଣା କୋହଳ ଓ ସଂକ୍ରମଣ ହ୍ରାସ ପାଇବା ପରେ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ।

ସମ୍ବନ୍ଧିତ ଖବର