ରାୟଗଡା: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ମୌଳିକ ସୁବିଧା ଏମାନଙ୍କ ପାଇଁ ସାତସପନ। ଏଭଳି ଏକ ଗ୍ରାମ ରହିଛି ଯେଉଁଠି ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରକାରୀ ଯୋଜନା ପହଞ୍ଚିପାରି ନାହିଁ। ରାୟଗଡା ବ୍ଲକ ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ହରକାଣା ଗ୍ରାମର ଲୋକ ଏଭଳି ଦୁର୍ଦ୍ଦଶାଗ୍ରସ୍ତ ଜୀବନ କାଟୁଛନ୍ତି। ଏହି ଗ୍ରାମରେ ୨୦ଟି ପରିବାର ବସବାସ କରୁଥିବା ବେଳେ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡିଏ ହୋଇ ପାରିଲା ନାହିଁ।ଗାଁକୁ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନା ପହଞ୍ଚିପାରି ନାହିଁ। ଗାଁରେ ଗୋଟିଏ ମାତ୍ର ନଳକୂପ ରହିଥିବା ବେଳେ ସେହି ନଳକୂପରୁ ଗୋଳିଆ ପାଣି ବାହାରୁଛି। ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପାଣି ପାଇଁ ମାଇଲ ବାଟ ଚାଲିବାକୁ ପଡୁଥିବା ଗାଁ ଲୋକେ କହିଥିଲେ। ଗାଁରେ ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ପକ୍କା ଘର ଖଣ୍ଡିଏ ନାହିଁ। ଆଜି ମଧ୍ୟ ଗାଁର ଜଣେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ବାରମ୍ବାର ଗ୍ରାମବାସୀ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଆସୁଥିଲେ ମଧ୍ୟ କାହାକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ପାରି ନାହିଁ। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମାନଙ୍କୁ ଖଟିଆରେ କିମ୍ବା କାଉଡି କରି ୧୨ କିଲୋମିଟର ରାସ୍ତା ବୋହି ନେବାକୁ ପଡୁଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଥିଲେ। ଗତ କିଛିଦିନ ତଳେ ଏହି ଗ୍ରାମର ଜନୈକ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେଉଥିବା ବେଳେ ରାସ୍ତାରେ ହିଁ ପ୍ରସବ କରିଥିଲେ। ଯାହାକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା। ଶିକ୍ଷା ଏବଂ ଅଙ୍ଗନବାଡି ବ୍ୟବସ୍ଥା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment

ଏହି ସେବା ପାଇବାକୁ ହେଲେ ଜଙ୍ଗଲ ରାସ୍ତାରେ ୫ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି। ଏଥିସହ ବିଦ୍ୟୁତ ସେବା ଓ ମୋବାଇଲ ସେବା ପାଇବା ଏମାନଙ୍କ ଭାଗ୍ୟରେ ନାହିଁ। ମୌଳିକ ସୁବିଧା ଏମାନଙ୍କ ପାଇଁ ମଧ୍ୟ ସାତପନ।ଗାଁକୁ ରାସ୍ତା ଗରିବଙ୍କୁ ପକ୍କା ଘର ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ହରକାଣା ଗ୍ରାମ ଦେଖିଲେ ସହଜରେ ସରକାରଙ୍କର ବିକାଶ ଜଣାପଡିବ। ହରକାଣା ଗାଁରେ ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଥିବା କଥାକୁ ସ୍ବୀକାର କରିଛନ୍ତି ଶାସକ ଦଳର ଜିଲ୍ଲାପରିଷଦ ସଭ୍ୟ ପ୍ରସାନ୍ତ କୁଲେଶିକା। ହରକାଣା ଗାଁ ଠାରୁ ମାତ୍ର ୫ କିମି ଦୂରରେ ରୁହନ୍ତି ଜିଲ୍ଲାପରିଷଦ। ସେ ଅନେକ ଥର ଗାଁ ଲୋକଙ୍କ ସହିତ ମିଶି ଜିଲ୍ଲାପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି ଏବଂ ସେ ନିଜେ ମଧ୍ୟ ଜିଲ୍ଲାପରିଷଦ ବୈଠକରେ ଗାଁ ସମସ୍ୟ ସମ୍ପର୍କରେ ସ୍ବର ଉଠାଇ ଥିବା ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ କୁଲେସିକା କହୁଛନ୍ତି। ସବୁ ଆଡୁ ନିରାଶ ହୋଇ ଗାଁର ଜଣେ ବାସିନ୍ଦା ହାତ ଯୋଡ଼ି ଗୁହାରି କରୁଛନ୍ତି ଆଗକୁ ନିର୍ବାଚନ ଆସୁଛି ଯଦି ଆମର ଦାବି ପୂରଣ ନହୁଏ ତେବେ ଭୋଟ ବର୍ଜନ ଶେଷ ନିଷ୍ପତ୍ତି। ଏହି ଗାଁରେ କୌଣସି ସରକାରୀ ସାହାଯ୍ୟ ପହଞ୍ଚି ନଥିବା କଥା ଶୁଣି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ।ସେହି ଗାଁକୁ ଯାଇ ସମୀକ୍ଷା କରି ଆବଶ୍ୟକୀୟ ସୁବିଧା ପହଞ୍ଚା ଯିବ ବୋଲି ସେ କହିଛନ୍ତି।