ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଜଣେ ମହିଳା ପୁଲିସ ଅଧିକାରୀ ଧରାପଡ଼ିଛନ୍ତି। ଆଠ ଦିନ ମଧ୍ୟରେ ରାଜ୍ୟରେ ଏହା ଦ୍ବିତୀୟ ଘଟଣା। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡ଼ି ବସିଛନ୍ତି। ଥାନାରେ ଖୋଳତାଡ଼ କରିବା ପରେ ଫୁଲବାଣୀ ନେଇଥିବା ଜଣା ଯାଇଛି।

Advertisment

ସୂଚନା ଅନୁସାରେ ଫୁଲବାଣୀର ଶରତ ବେହେରା ହରଭଙ୍ଗାରେ ମହାନଦୀ ବାଲିଘାଟ ଠିକାରେ ନେଇଛନ୍ତି। ତାଙ୍କ କିଛି ବାଲି ଭର୍ତ୍ତି ହାଇୱା ଆଇଆଇସି ରାଉତରାୟ ଆଣି ଥାନାରେ ରଖିଥିଲେ। ଛାଡିବା ପାଇଁ ଏକ ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିଲା। ଏହାପରେ ଶ୍ରୀ ବେହେରା ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ପାଖରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ଶୁକ୍ରବାର ଟଙ୍କା ନେବା ବେଳେ ଧରା ପଡ଼ିଛନ୍ତି। ଚଢ଼ାଉରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ସାମିଲ ଥିଲେ।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ସହିଦନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ୧୫ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା। ଜଣେ ଏତଲକାରୀଙ୍କୁ ମାମଲାରେ ସହଯୋଗ କରିବା ପାଇଁ ଲାଞ୍ଚ ନେଲା ବେଳେ ଶ୍ରୀମତୀ ବସ୍ତିଆ ଧରାପଡ଼ିଥିଲେ। ଭିଜିଲାନ୍ସର ୩ଟି ଟିମ୍‌ ସମାନ୍ତରାଳ ଭାବେ କଟକ ସିଡିଏସ୍ଥିତ ଅର୍‌ଭିଲ୍‌ ଆପାର୍ଟମେଣ୍ଟ, ସହିଦନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ବିରିଡ଼ିସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା।