ରାୟଗଡ଼ାରେ ହରିୟାଣା ପୁଲିସର କ୍ରାଇମବ୍ରାଞ୍ଚ୍ ଟିମ୍: ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଡ୍ରାଇଭର ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ମାଫିଆଙ୍କୁ କାବୁ କରିବାକୁ ରାୟଗଡ଼ାରେ ପହଞ୍ଚିଛି ହରିୟାଣା ପୁଲିସର କ୍ରାଇମବ୍ରାଞ୍ଚ ଟିମ୍। ୫ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ା ଜିଲ୍ଲାରେ ତନାଘନା କରିବା ପରେ ଚୋରା ଚାଲାଣରେ ସଂପୃକ୍ତ ଜଣେ ଡ୍ରାଇଭରକୁ ଗିରଫ କରିଛି। ଗିରଫ ଡ୍ରାଇଭରର ନାମ ଜୟ ସାହୁ। ଘର ପଦ୍ମପୁର ଥାନା ଅଞ୍ଚଳରେ। ଗିରଫ ଜୟ ପଦ୍ମପୁରର ଏକ ଟୁର୍ ଆଣ୍ଡ ଟ୍ରାଭେଲସରେ ଡ୍ରାଇଭର ଭାବେ କାମ କରୁଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ମାର୍ଚ୍ଚ ୧ ତାରିଖରେ ହରିୟାଣା ପୁଲିସ୍ ଏକ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିବା ସହ କିଛି ମାଫିଆଙ୍କୁ ଗିରଫ କରିଥିଲା। ଜବତ ଟ୍ରକ୍ ଭିତରୁ ହରିୟାଣା ପୁଲିସ୍ ୧୫ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା। ମାମଲା କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର ହେବା ପରେ ହରିୟାଣା ପୁଲିସର ସ୍ବତନ୍ତ୍ର ଟିମ୍ ଗଞ୍ଜେଇ ଚୋରା ଚାଲାଣର ଲିଙ୍କ୍ ସଂପର୍କରେ ଖୋଳତାଡ଼ କରିଥିଲେ। ଗିରଫ ମାଫିଆଙ୍କୁ ଜେରା ସମୟରେ ଜବତ ଗଞ୍ଜେଇ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନାର ଲେଲିବାଡ଼ି ଗାଁ ନିକଟରୁ ଲୋଡିଂ ହୋଇଥିବା ସଂପର୍କରେ ସୂଚନା ପାଇଥିଲା କ୍ରାଇମବ୍ରାଞ୍ଚ ଟିମ୍। ମାଫିଆଙ୍କ ନିକଟରୁ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ମାଫିଆଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପରେ ରାୟଗଡ଼ା ଆସିଥିଲା କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍।

ଟିମ୍ ପ୍ରଥମେ ପଦ୍ମପୁରରେ ପହଞ୍ଚି ଘରୋଇ ଟୁର୍ ଆଣ୍ଡ୍ ଟ୍ରାଭେଲସ୍ କମ୍ପାନିର ମାଲିକ ଓ ଡ୍ରାଇଭରକୁ ଉଠାଇଥିଲା। ଗତ ଦୁଇ ଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍ ଉଭୟଙ୍କୁ ଜେରା କରିବା ସହ ପଦ୍ମପୁର ଥାନା ଅଞ୍ଚଳର ବିଭିନ୍ନ ଗାଁ ବୁଲି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ କରିଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ଟିମ୍ ଅନ୍ୟ ମାଫିଆଙ୍କୁ ଧରିବାରେ ବିଫଳ ହେବା ପରେ ଗତକାଲି ରାତିରେ ଡ୍ରାଇଭର ଜୟ ସାହୁକୁ ଗିରଫ କରି ହରିୟାଣା ନେଇଛି। ଗିରଫ ଡ୍ରାଇଭର ଜୟ ସାହୁ ଗଞ୍ଜେଇ ମାଫିଆଙ୍କୁ କାରରେ ନେଇ ବିଭିନ୍ନ ଗାଁ ବୁଲି ଗଞ୍ଜେଇ କିଣିବାରେ ସହଯୋଗ କରୁଥିଲା। ଗଞ୍ଜେଇ କିଣା ଶେଷ ହେବା ପରେ ଏକ ଟ୍ରକରେ ଗ‌ଞ୍ଜେଇ ହରିୟାଣା ଅଭିମୁଖେ ଯାଉଥିବା ବେଳେ ମାଫିଆଙ୍କୁ କାରରେ ନେଇ ହରିୟାଣା ସୀମାନ୍ତରେ ଛାଡ଼ୁଥିଲା ଡ୍ରାଇଭର ଜୟ ସାହୁ। ହରିୟାଣା କ୍ରାଇମବ୍ରାଞ୍ଚର ଚଢ଼ାଉ ପରେ ରାୟଗଡ଼ା ଜିଲ୍ଲା ପୁଲିସ୍ ଚୋରା ଚାଲାଣରେ ସଂପୃକ୍ତ ଅନ୍ୟ ମାଫିଆଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର