ଭଡ଼ାଟିଆ ବିବାହିତା ମହିଳାଙ୍କୁ ଘର ମାଲିକର ଯୌନ ନିର୍ଯାତନା ଓ ବ୍ଲାକ ମେଲିଂ, ବନ୍ଧାହେଲା ଅଭିଯୁକ୍ତ ଘର ମାଲିକ

ବାରିପଦା: ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଜଣେ ଭଡ଼ାଟିଆ ବିବାହିତା ମହିଳାଙ୍କୁ ସଂପୃକ୍ତ ଘର ମାଲିକର ଯୌନ ନିର୍ଯ୍ୟାତନା ଓ ବ୍ଲାକ ମେଲିଂକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଲିସ୍ ହାତରେ ଧରାପଡ଼ିଛି ଅଭିଯୁକ୍ତ ଘର ମାଲିକ। ଏନେଇ ବାରିପଦା ଟାଉନ୍ ଥାନାରେ ଆଇପିସି ଧାରା ୪୪୮, ୩୪୨, ୩୭୬(୨)(ଏନ), ୫୦୬ ଅନୁସାରେ କେସ୍ ନମ୍ବର ୮୩୧/୨୦୨୦ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୦୧୦ ମସିହାରେ ବିବାହ କରିଥିବା ଜନୈକା ୨୭ ବର୍ଷିୟା ମହିଳା ନିଜ ସ୍ୱାମୀଙ୍କ ଦ୍ୱାରା କୌଣସି କାରଣରୁ ଶାରିରୀକ ଓ ମାନସିକ ନିର୍ଯାତନାର ଶିକାର ହୋଇ ବାରିପଦା ପୌରପରିଷଦ ରାମଚନ୍ଦ୍ରପୁର ଅଞ୍ଚଳର ଜଳଧର ନାୟକଙ୍କ ଘରେ ଭଡ଼ା ନେଇ ଏକାକୀ ରହିଆସୁଥିଲେ।

ମହିଳାଙ୍କ ଅସହାୟତାର ସୁଯୋଗ ନେଇ ରାତିରେ ଘର ମାଲିକ ଜଳଧର ପିଡ଼ୀତାଙ୍କୁ କୋଠରୀ ଭିତରେ ପ୍ରବେଶ କରି ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏହି ଘଟଣାକୁ ନେଇ ପୁଲିସ ସମ୍ମୁଖରେ ମୁହଁ ନ ଖୋଲିବା ନିମନ୍ତେ ଘର ମାଲିକ ଧମକ ଦେଇଥିବା ପିଡ଼ୀତା ଥାନାରେ ଅଭିଯୋଗ କରିଛନ୍ତି। ଏଥି ସହିତ ଜଳଧର କୌଶଳ କରି ବିବାହିତା ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିବା ଅବସ୍ଥାର ଦୃଶ୍ୟର ଫଟୋ ସୁଟିଂ ଓ ଭିଡିଓ ରେକର୍ଡିଂ କରିଦେଇଥିଲେ। ଏହି ଭିଡିଓ ବଳରେ ଜଳଧର ପିଡ଼ୀତାଙ୍କୁ ବ୍ଲାକ୍ମେଲିଂ କରିବା ସହିତ ବିଭିନ୍ନ ସମୟରେ ବାଧ୍ୟ କରାଇ ବଳପୂର୍ବକ ଦୁଷ୍କର୍ମ କରି ଆସୁଥିଲା ।

ଏଥିରେ ଅତିଷ୍ଠ ହୋଇ ପିଡ଼ୀତା ଜଣଙ୍କ ଚଳିତ ବର୍ଷ ଜୁଲାଇ ପରଠାରୁ କୌଣସିମତେ ବାରିପଦାରୁ ଖସି ଯାଇ ବାଲେଶ୍ୱରରେ ଭଡ଼ା ନେଇ ରହୁଥିଲେ। ତଥାପି ଅଭିଯୁକ୍ତ ଜଣଙ୍କ ଭିଡିଓ ଓ ଫଟୋକୁ ଭାଇରାଲ କରିଦେବାର ଧମକ ଦେଇ ପିଡ଼ୀତାଙ୍କୁ ଧମକଚମକ ଦେଉଥିଲେ। ଅନ୍ୟପୋୟ ହୋଇ ପିଡ଼ୀତା ଜଣଙ୍କ ଗତକାଲି ରାତିରେ ବାରିପଦା ଟାଉନ ଥାନାରେ ପହଞ୍ଚି ଅଭିଯୁକ୍ତ ଜଳଧର ନାୟକ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର