ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ହରିୟାଣା ଯୁବତୀଙ୍କ ନାମରେ ମାମଲା ରୁଜୁ

ପୁରୀ: ପୁରୀ ଶ୍ରୀମନ୍ଦିରର ଭିତର ଫଟୋ ଉଠାଇବା ସହିତ ମନ୍ଦିର ନିୟମ ଉଲ୍ଲଂଘନ କରିଥିବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି କି, ସାଲିନି ପାସି ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତରର ଫଟୋ ପୋଷ୍ଟ କରିଛନ୍ତି।

ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହା ସତ୍ତ୍ବେ ହରିୟାଣାର ଜଣେ ଯୁବତୀ ସାଲିନି ପାସି ପୁରୀ ଆସି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବେଆଇନ ଭାବେ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୫ର ଧାରା ୩୦-ଏ (୪) (ସି) ଅନୁଯାୟୀ ଏହି କାର୍ଯ୍ୟ ଦଣ୍ଡନୀୟ ଅପରାଧ ଅଟେ। ଏହା ବ୍ୟତୀତ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ କରିବା ଦ୍ୱାରା ମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଏଥିସହିତ ତାଙ୍କର ଏଭଳି କାମ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘା‌ତ ପହଞ୍ଚାଇଛି।

ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିରର ଦକ୍ଷିଣ ଫାଟକ ଦ୍ବାରରୁ ଦୁଇଟି ଫଟୋ କ୍ଲିକ୍ ହେବା ପରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନର ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସାଲିନି ପାସି ଫେବ୍ରୁଆରି ୨ରେ ଶ୍ରୀମନ୍ଦିର ଭିତର ଫଟୋ ଅପଲୋଡ୍ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର