ମାଲକାନଗିରି: ପୋଲାଭରମ ଜଳପ୍ରକଳ୍ପ ପାଇଁ ସିଲେରୁ ନଦୀରୁ ହୋଇ ପାରୁନାହିଁ ଜଳ ନିଷ୍କାସନ, ମୋଟୁ ପାଇଁ ବିପଦ

ମାଲକାନଗିରି: ପୋଲାଭରମ ଜଳପ୍ରକଳ୍ପ ମାଲକାନଗିରି ପାଇଁ ବିପତ୍ତି ଆଣିଛି ବୋଲି କୁହାଯାଉଛି। ସିଲେରୁ ନଦୀରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ସ୍ଥିତି ଯଦି ଏପରି ଲାଗିରହେ ତେବେ ମୋଟୁ ପାଇଁ ଆଗକୁ ବିପଦ ରହିଛି ବୋଲି ତହସିଲଦାର କହିଛନ୍ତି । ପୋଲଭରମ ପ୍ରକଳ୍ପ ଯୋଗୁ ସାବେରୀ ଓ ସିଲେରୁ ନଦୀର ବନ୍ୟା ଜଳ ନିଷ୍କାସିତ ହୋଇପାରିନାହିଁ । ଏବେ ବି ମୋଟୁ, ପେଟା, ଆଲମା, ବିନାୟକପୁର, ମୁରଳିଗୁଡା ଗାଁ ପାଣି ଘେରରେ ରହିଛି ।

ସେହିଭଳି ମାଲକାନଗିରି ଉପରମୁଣ୍ଡରେ ବର୍ଷା ଯୋଗୁଁ ନଦୀର ଜଳସ୍ତର ପୁଣି ବଢିଛି । କାଙ୍ଗୁରକୋଣ୍ଡା ପୋଲ ଉପରେ ପାଣି ଚାଲିଛି । ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରିରୁ କାଲିମେଳା, ମୋଟୁ,ଓ ପୋଡିଆକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସେପଟେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଉପର ମୁଣ୍ଡରେ ଲଗାଣ ବର୍ଷା ହୋଇଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୮.୩୩ ଫୁଟ ରହିଥିବା ରିପୋର୍ଟ ମିଳିଛି । ସେକେଣ୍ଡ ପିଛା ଜଳ ଭଣ୍ଡାରକୁ ୧ ଲକ୍ଷ ୩୮ ହଜାରରୁ ଅଧିକ କ୍ୟୁସେକ ଜଳ ଉପରମୁଣ୍ଡ ଦେଇ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପ୍ରତି ୧୬ ହଜାର ୩୫୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଆସନ୍ତାକାଲି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୧. ୪୫ ଛୁଇଁବ ବୋଲି ଆଶା କରାଯାଉଛି । ଆଜିଠାରୁ ବର୍ଷା ନାହିଁ, ତେବେ ଉପରମୁଣ୍ଡରେ ପ୍ରାୟ ୧୫ ମିଲିମିଟର ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ ଉପରେ ରହିଲେ ପ୍ରଥମ ବନ୍ୟାଜଳ ଛାଡିବା ପାଇଁ ନିଷ୍ପତ୍ତିି ନିଆଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର