ରାଉରକେଲା: ଗତ ଜୁଲାଇ ୩୦ରେ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ବଡ଼ାବାମ୍ବୋ ଷ୍ଟେସନ ନିକଟରେ ହାୱଡା-ମୁମ୍ବାଇ ମେଲ୍‌ ଦୁର୍ଘଟଣାଗ୍ରସ୍ତ ହେବାକୁ ୫ ଦିନରୁ ଅଧିକ ବିତିଥିଲେ ଟ୍ରେନ୍‌ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରି ନାହିଁ। ରେଳଲାଇନର ମରାମତି ଓ ଅନ୍ୟ କିଛି କାମ ଜାରି ରହିଛି। ଏଥି ପାଇଁ ଆସନ୍ତାକାଲି (ସୋମବାର) ୪ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ଏଥି ମଧ୍ୟରୁ ତିନିଟି ଟ୍ରେନ୍‌ ରାଉରକେଲା ଦେଇ ଯାତାୟତ କରୁଛି। ରାଉରକେଲା-ଟାଟାନଗର-ରାଉରକେଲା ସ୍ବତନ୍ତ୍ର, ଟାଟାନଗର-ବିଳାସପୁର-ଟାଟାନଗର ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ କରାଯାଇଛି। ଚକ୍ରଧରପୁର-ଟାଟାନଗର-ଚକ୍ରଧରପୁର ସ୍ବତନ୍ତ୍ର ଓ ଗୋମହ-ଚକ୍ରଧରପୁର ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ କରାଯାଇଛି। ସେମିତି ଟାଟାନଗର-ଇତୱାରି-ଟାଟାନଗର ଏକ୍ସପ୍ରେସ୍‌କୁ ଆଂଶିକ ବାତିଲ କରାଯାଇଛି। ସୋମବାର ଏହି ଟ୍ରେନ୍‌ ବିଳାସପୁର ‌ଷ୍ଟେସନରୁ ଛାଡ଼ିବ। ହାଓଡା-ଚକ୍ରଧରପୁର-ହାଓଡା ଏକ୍ସପ୍ରେସ୍‌ ଆସନ୍ତାକାଲି (ବୁଧବାର) ଆଦ୍ରା ଷ୍ଟେସନରୁ ଛାଡ଼ି ସ୍ବଳ୍ପ ଦୂରତାକୁ ଯିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ କୁହାଯାଇଛି।