କେନ୍ଦୁଝର: ଘଟଗାଁ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସମ୍ପର୍କିତ ଏକ ମାମଲାର ବିଚାର କରି ପୂର୍ବବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ଦୁଇଜଣ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ ଓ ପ୍ରମୋଦ କୁମାର ଦେହୁରୀ ୨୦୧୮ରେ ଦେବୋତ୍ତର ସଂଶୋଧିତ ଆଇନ ଉପରେ ମାମଲା ରୁଜୁ କରିଥିଲେ। କୋର୍ଟ ସରକାରଙ୍କ ସଂଶୋଧିତ ଦେବୋତ୍ତର ଆଇନ ଉପରେ ରହିତାଦେଶ ଜାରି କରିବା ସହ ସେମାନଙ୍କ ପଦବି ବଳବତ୍ତର ରହିବ ବୋଲି ରାୟରେ ଉଲ୍ଲେଖ କରିଥିଲେ।
୨୦୨୨ ସେପ୍ଟେମ୍ବର ୧୪ରେ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲା ଉପରେ ବିଚାର କରିଥିଲେ। ତାରିଣୀ ମନ୍ଦିର ଓ ଏହା ସହ ସମସ୍ତ ସଂଲଗ୍ନ ମାମଲା ଗୁଡ଼ିକ ଉପରେ ଆଧାରିତ ସମସ୍ତ ମାମଲାକୁ ବିନା ଶୁଣାଣିରେ ଉକ୍ତ ଜନସ୍ବାର୍ଥ ମାମଲା ସହ ସଂଲଗ୍ନ ଥିବା ହେତୁ ଓକିଲଙ୍କ ଅନୁପସ୍ଥିତି ଯୋଗୁଁ ସମସ୍ତ ମାମଲା ଗୁଡ଼ିକୁ ଖାରଜ କରିଦେଇଥିଲେ। ଫଳରେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡକୁ ବିଭାଗ ତତ୍କାଳ ଭାଙ୍ଗିଦେଇ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟିଭାବେ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦେଇଥିଲା।
ବିନା ଶୁଣାଣିରେ ହାଇକୋର୍ଟର ଏହି ରାୟ ଉପରେ ପୁନଃଶୁଣାଣି ପାଇଁ କ୍ଷୀରୋଦ ପ୍ରସାଦ ଦାସ ଓ ପ୍ରମୋଦ କୁମାର ଦେହୁରୀ ଆଉ ଏକ ପିଟିସନ୍ ଦାୟର କରିଥିଲେ। ଯାହାର ଶୁଣାଣି କରିଥିଲେ ୨୦୨୩ ମେ ୧୯ରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ଦୁଇଜଣିଆ ଖଣ୍ଡପୀଠ। କୋର୍ଟ ମୂଳ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ପୂର୍ବାବସ୍ଥା ବଜାୟ ରଖିବାପାଇଁ ଦେବୋତ୍ତର ବିଭାଗ, ସମ୍ବଲପୁରକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ମାମଲାକୁ ହାଇକୋର୍ଟର ବରିଷ୍ଠ ଓକିଲ କାଳୀପ୍ରସନ୍ନ ମିଶ୍ର ଓ ମିଥୁନ ଦାସ ପରିଚାଳନା କରୁଥିଲେ। ଦେବୋତ୍ତର ବିଭାଗର ଅତିରିକ୍ତ ସହକାରୀ କମିସନର ତୁରନ୍ତ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଆମେ ଦେବୋତ୍ତର ବିଭାଗର ଅତିରିକ୍ତ କମିସନର ରାଜେଶ ରୋଶନ ନନ୍ଦଙ୍କୁ ପଚାରିବାରୁ, ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/high-court-new-india-express.jpg)