ଭଞ୍ଜନଗର ହତ୍ୟାକାଣ୍ଡର ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ରଦ୍ଦ

ସାକ୍ଷୀଙ୍କ ବୟାନ ବଦଳ ବ୍ୟାଧିର ରୂପ ନେଲାଣି, ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ: ହାଇକୋର୍ଟ

କଟକ: ସାକ୍ଷୀ ବୟାନ ବଦଳାଇବା ଘଟଣା ଯୋଗୁଁ ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଛି। ଅର୍ଥବଳ, ଧମକ ଭଳି ଘଟଣା ଯୋଗୁଁ ସାକ୍ଷୀ ବୟାନ ବଦଳାଇବା ଘଟଣା ସାମନାକୁ ଆସୁଛି। ଏହି ଧାରା ଧୀରେ ଧୀରେ ଲମ୍ବିବାରେ ଲାଗିଛି। ତେଣୁ ଏ ବ୍ୟବସ୍ଥାର ବ୍ୟାପକ ପରିବର୍ତ୍ତନ ଆବଶ୍ୟକ ବୋଲି ମତ ରଖିଛନ୍ତି ହାଇକୋର୍ଟ। ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡାଦେଶ ରାୟକୁ ରଦ୍ଦ କରିବା ସହିତ ଏଭଳି ଉଲ୍ଲେଖ କରିଛନ୍ତି।
ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ସାକ୍ଷୀଙ୍କ ବୟାନ ବଦଳିବା ଏକପ୍ରକାର ବ୍ୟାଧିର ରୂପ ନେଇଥିବା ବେଳେ ନ୍ୟାୟ ବିଚାର ବ୍ୟବସ୍ଥା ପାଇଁ ଯନ୍ତ୍ରଣାଦାୟକ ହୋଇ ପଡିଛି। ଏହାକୁ ରୋକିବା ସହିତ ନ୍ୟାୟ ପ୍ରଦାନ ପାଇଁ ବିଶେଷ କିଛି ଏଯାଏ କରାଯାଇ ପାରି ନାହିଁ। ତେଣୁ ବ୍ୟବସ୍ଥାରେ ବ୍ୟାପକ ପୁନର୍ଗଠନ ଆବଶ୍ୟକ। ଭି.ଏସ.ମଲିମଥ୍ କମିଟି ଅପରାଧିକ ନ୍ୟାୟ ବିଚାର ପ୍ରକ୍ରିୟାରେ ବ୍ୟାପକ ସୁଧାର ପାଇଁ ୨୦୦୩ରେ କେତେକ ସୁପାରିସ କରିଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଅପରାଧିକ ନ୍ୟାୟ ବିଚାର ପ୍ରକ୍ରିୟାରେ ବିଶ୍ବସନୀୟତା ଆସିଲେ ଯାଇ ତ୍ବରିତ ନ୍ୟାୟ ସମ୍ଭବ ହେବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ  ଆଇନ ଅନୁସାରେ ପୀଡିତର ଅଧିକାରକୁ ସ୍ବୀକୃତି ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୮ ଡିସେମ୍ବର ୧୪ରେ ଏକ ହତ୍ୟାକାଣ୍ଡକୁ ନେଇ ଭଞ୍ଜନଗର ଥାନାରେ ଏତଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୁଲିସ ତୁମୁଲୁ କ୍ରିଷ୍ଣାରାଓ ପାତ୍ରଙ୍କୁ ଗିରଫ କରିଥିଲା। ମାମଲାରେ ଚାର୍ଜସିଟ ଦାଖଲ ପରେ ଭଞ୍ଜନଗର-ଆସ୍କା ଅତିରିକ୍ତ ଦୌରା ଅଦାଲତରେ ମାମଲାର ଶୁଣାଣି ଚାଲିଥିଲା। ପ୍ରସିକ୍ୟୁସନ ପକ୍ଷରୁ ୯ଜଣ ଓ ଅଭିଯୁକ୍ତଙ୍କ ପକ୍ଷରୁ ୩ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଅଦାଲତ ୨୦୦୧, ମାର୍ଚ୍ଚ ୧୭ରେ ମାମଲାର ରାୟ ପ୍ରକାଶ କରି ଆଇପିସିର ଦଫା ୩୦୨ ଓ ୪୪୯ରେ ତୁମୁଲ କ୍ରିଷ୍ଣାରାଓ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଶ୍ରୀ ପାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମାମଲାର ଶୁଣାଣି ସମୟରେ ଶ୍ରୀ ପାତ୍ରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏତଲାକାରୀ, ପ୍ରତ୍ୟକ୍ଷଦର୍ଶୀ ଓ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ ଘଟଣାର ସାକ୍ଷୀ ପୁଲିସ ନିକଟରେ ଗୋଟିଏ ପ୍ରକାର ବୟାନ ଦେଇଥିବା ବେଳେ ଅଦାଲତରେ ସାକ୍ଷ୍ୟ ଗ୍ରହଣ ସମୟରେ ଅନ୍ୟ କଥା କହିଥିଲେ। ସାକ୍ଷୀମାନଙ୍କ ବୟାନରେ କୌଣସି ତାଳମେଳ ନଥିଲା। ଏଥି ସହିତ କୌଣସି ସିଧାସଳଖ ପ୍ରମାଣର ଅଭାବରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଖଣ୍ଡପୀଠ ମାମଲାର ଶୁଣାଣି କରି ଭଞ୍ଜନଗର-ଆସ୍କା ଅତିରିକ୍ତ ଦୌରା ଜଜ ଅଦାଲତଙ୍କ ୨୦୦୧, ମାର୍ଚ୍ଚ ୧୭ର ଦଣ୍ଡାଦେଶ ରାୟକୁ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ପି.କେ.ଦାସ, ଏ.କେ.ନାୟକ ଓ ପି.କେ.ନନ୍ଦ ଏଥିରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର