ଭିଜିଲାନ୍‌ସ ଜାଲରେ ପଡିଲେ ଶିକ୍ଷା ବିଭାଗ ମୁଖ୍ୟ କିରାଣି

ନବରଙ୍ଗପୁର: ଜଣେ ଶିକ୍ଷକଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନବରଙ୍ଗପୁର ଡିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ଗୁପ୍ତେଶ୍ୱର ରଥ ଭିଜିଲାନ୍‌ସ ଜାଲରେ ପଡିଛନ୍ତି। ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ବିଦ୍ୟାଳୟର ଶିକ୍ଷକ ଗଣେଶ୍ୱର ନାୟକଙ୍କ ଦରମା ଓ ବକେୟା ଟଙ୍କା ପ୍ରଦାନ ପାଇଁ ଡିଇଓଙ୍କ କାର୍ଯ୍ୟାଳୟରୁ ଚନ୍ଦାହାଣ୍ଡି ବିଇଓଙ୍କ କାର୍ଯ୍ୟାଳୟକୁ ନିର୍ଦେଶ ଦେବାକୁ ମୁଖ୍ୟ କିରାଣି ଗୁପ୍ତେଶ୍ୱର ରଥ ଲାଞ୍ଚ ମାଗିଥିଲେ। ଏନେଇ ଗଣେଶ୍ୱର ନାୟକ ନବରଙ୍ଗପୁର ଭିଜିଲାନ୍‌ସରେ ଅଭିଯୋଗ କରିଥିଲେ। ଏହାପରେ ପୂର୍ବ ଯୋଜନା ଅନୁଯାୟୀ ଆଜି ଅପରାହ୍ନ ସାଢେ ଗୋଟାଏରେ ମୁଖ୍ୟ କିରାଣିଙ୍କୁ ଲଫାପାରେ ଭର୍ତି ହୋଇଥିବା ୫ହଜାର ଟଙ୍କା ଦିଆଯାଇଥିଲା। ପୂର୍ବରୁ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ଚଢାଉ କରି ଟଙ୍କା ଜବତ କରିଥିଲେ।

ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କୁ ଭିଜିଲାନ୍‌ସ ନବରଙ୍ଗପୁର ସ୍ଥିତ କାର୍ଯ୍ୟାଳୟକୁ ନେଇ ପଚରା ଉଚୁରା କରିଥିଲା। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଜମାଦାରପଡା ବିଦ୍ୟାଳୟର ଶିକ୍ଷକ ଗଣେଶ୍ୱର ନାୟକ ୨୦୧୩ ମସିହାରେ ନିଲମ୍ବନ ହୋଇଥିଲେ। ନିଲମ୍ବନ ଆଦେଶକୁ ସେ ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ କରିଥିଲେ। ପରବର୍ତୀ ସମୟରେ ଟ୍ରିବ୍ୟୁନାଲ ଶିକ୍ଷକଙ୍କ ସପକ୍ଷରେ ରାୟ ଦେଇ ଡିଇଓଙ୍କୁ ସମସ୍ତ ପ୍ରାପ୍ୟ ଦେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଡିଇଓଙ୍କ କାର୍ଯ୍ୟାଳୟରୁ ଉକ୍ତ ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବିଇଓଙ୍କ କାର୍ଯ୍ୟାଳୟକୁ ମୁଖ୍ୟ କିରାଣି ଚିଠି କରିନଥିଲେ। ଏହି ଚିଠି କରିବାକୁ ଅଭିଯୁକ୍ତ ମୁଖ୍ୟ କିରାଣି ଟଙ୍କା ମାଗିଥିଲେ। ତେବେ ଭିଜିଲାନ୍‌ସ ନିକଟରେ ଅଭିଯୋଗ ହେବାରୁ ଆଜି ଚଢାଉ କରାଯାଇଥିଲା। ଏହି ଚଢ଼ାଉରେ ଜୟପୁର ଭିଜିଲାନସ୍‌ କାର୍ଯ୍ୟାଳୟର ଇନ୍‌ସପେକ୍ଟର ଦୀନବନ୍ଧୁ ବେହେରା, ରାୟଗଡା ଇନିସପେକ୍ଟର ସୁଶାନ୍ତ କୁମାର ବିଶ୍ୱାଳ, ମାଲାକାନାଗିରି ଭିଜିଲାନସ ଇନିସପେକ୍ଟର ଶରତ ଚନ୍ଦ୍ର ସାହୁ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର