ବ୍ରହ୍ମପୁର: କରୋନା ମୁକାବିଲା ପାଇଁ ସମଗ୍ର ଦେଶ ସମେତ ପୂରା ଓଡ଼ିଶାରେ ଲକଡାଉନ ଲାଗୁ ହୋଇଥିବା ବେଳେ ବିଦ୍ୟାଳୟ ଶିକ୍ଷା ଘୋର ପ୍ରଭାବିତ ହୋଇଛି । ରାଜ୍ୟ ସରକାର ପିଲମାନଙ୍କୁ ବହି ବାଣ୍ଟିବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ବିଦ୍ୟାଳୟ ବନ୍ଦ ଥିବାରୁ ପ୍ରଧାନ ଶିକ୍ଷକମାନଙ୍କୁ ଏବେ ଘରକୁ ଘର ଯାଇ ବହି ବିତରଣ କରିବାକୁ ପଡୁଛି । ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ପୁଡାମାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବହି ବିତରଣ କରିବା ପାଇଁ ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ ।

Advertisment

ପୁଡାମାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବେ ଏକ ରିକ୍ସାରେ ପାଠ୍ୟପୁସ୍ତକ ନେଇ ନିଜ ଛାତ୍ରଛାତ୍ରୀମାନଙ୍କ ଘରକୁ ଯାଉଛନ୍ତି । ପିଲାମାନେ ଘରେ ପାଠ ପଢ଼ିବେ ବୋଲି ସେ ପ୍ରଧାନ ଶିକ୍ଷକଙ୍କୁ ଖରା ଓ ବର୍ଷାକୁ ମଧ୍ୟ ଖାତିର ନାହିଁ । ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀମାନେ ମଧ୍ୟ ସହଯୋଗ କରିଛନ୍ତି ।ପ୍ରଧାନ ଶିକ୍ଷକଙ୍କ ଏଭଳି କର୍ତ୍ତବ୍ୟ ଓ ଦାୟିତ୍ୱକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ପ୍ରଶଂସା କରିଛନ୍ତି । ଜିଲ୍ଲାପାଳ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଫଟୋକୁ ଟୁଇଟରେ ସେୟାର କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସ୍କୁଲଗୁଡ଼ିକରେ ବାର୍ଷିକ ପରୀକ୍ଷା ଶେଷ ହୋଇପାରି ନଥିବା ବେଳେ ଲକଡାଉନ ଆରମ୍ଭ ହୋଇଯାଇଥିବାରୁ ଏବେ ଜୁନ ୧୭ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିଛି । ପିଲାମାନେ ବିଦ୍ୟାଳୟରେ ପାଠ ନ ପଢ଼ି ଘରେ ପଢ଼ିବେ ବୋଲି ସରକାର ପାଠ୍ୟ ପୁସ୍ତକ ଯୋଗାଇ ଦେଇଛନ୍ତି ।