ମୁଣ୍ଡବିହୀନ ଶିଶୁପୁତ୍ର ମୃତଦେହ ଉଦ୍ଧାର; ସାଇଣ୍ଟିଫିକ୍ ଟିମର ତଦନ୍ତ, ବଳି ସନ୍ଦେହ

ଯାଜପୁରସଦର:  ଯାଜପୁରର ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ ପିଲା ଚୋର ଭୟ ରହିଥିବା ବେଳେ ଆଜି ଏକ  ଶିଶୁ ପୁତ୍ରର ମୁଣ୍ଡ  ନଥିବା ଶରୀର ମିଳିବା ପରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ବିଦ୍ୟାଧରପୁର ବୁଢ଼ା ନଦୀବନ୍ଧ ପାର୍ଶ୍ବରେ ଥିବା ଅଶୋକ ତ୍ରିପାଠୀଙ୍କ ବାଡ଼ିରେ ଏକ ମୁଣ୍ଡ ବିହୀନ ଶିଶୁପୁତ୍ରର ମୃତଦେହ ପଡ଼ିଥିବାର ଘର ମାଲିକ ଦେଖି ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ଯାଜପୁର ଥାନା ଭାରପ୍ରାପ୍ତ ଥାନାଧିକାରୀ ମାନସ ରଞ୍ଜନ ଚକ୍ର ପହଞ୍ଚି  ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ଯାଜପୁର ଏସପି ରାହୁଲ ପିଆର, ଅତିରିକ୍ତ ଏସପି ନାରାୟଣ ଚନ୍ଦ୍ର ବାରିକ ମଧ୍ୟ ପହଞ୍ଚି ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଅପରାହ୍ନରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ନିକଟରେ ତଦନ୍ତ ଆରମ୍ଭ କରିବା ସହ ପାରିପାର୍ଶ୍ବିକ ସୁରାଗ ଖୋଜିଛନ୍ତି।  ମୃତ ଶିଶୁ ଉପରୋକ୍ତ ଅଞ୍ଚଳର ହୋଇ ନଥିବା ଏବଂ ଜିଲାରେ କୌଣସି ଶିଶୁପୁତ୍ର ନିଖୋଜ ହୋଇ ନଥିବା ପୁଲିସ ସୂଚନା ଦେଇଛି ।

ମୃତ ଶିଶୁ ପୁତ୍ରର ବୟସ ଦେଢ଼ ବର୍ଷ ହୋଇଥିବା  ବେଳେ ତା’ ଗୋଡ଼ରେ ବଳା ରହିଛି । ମୃତ ଶିଶୁ ପୁତ୍ରର ଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଶିଶୁ ପୁତ୍ରକୁ ବଳି ଦିଆଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ନିମନ୍ତେ ସଦର ଡାକ୍ତରଖାନାକୁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତକୁ କଡ଼ାକଡ଼ି କରିଛି। ଏବେ ରାଜ୍ୟରେ ଶିଶୁ ପୁତ୍ର ନିଖୋଜ ଓ ହତ୍ୟା କରାଯାଉଥିବା ଘଟଣା ସମ୍ବେଦନଶୀଳ ହୋଇପଡିଛି। ଏହି ଘଟଣା ଯାଜପୁର ପୁଲିସ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ ବୋଲି  ଯାଜପୁର ଏସପି ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର