୧୯ ଶିକ୍ଷାନୁଷ୍ଠାନରେ ଆଣ୍ଟିଂ ରାଗିଂ ସ୍କ୍ବାର୍ଡ ଓ ସିସି କ୍ୟାମେରା: ଶିକ୍ଷାନୁଷ୍ଠାନ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଏସ୍‌ପି

ରାଉରକେଲା: ରାଗିଂ ପାଇଁ ବିଜେପି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ ଉଠୁଛି ପଡୁଛି। ରାଜରାସ୍ତାରୁ ଆରମ୍ଭ ହୋଇଥିବା ପ୍ରତିବାଦର ସ୍ବର ବିଧାନସଭାରେ ପହଞ୍ଚିଛି। ବିରୋଧୀ ଦଳ ଉଭୟ ବିଜେପି ଓ କଂଗ୍ରେସ କଲେଜରେ ରାଗିଂ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ବୋଲି କହିଛନ୍ତି। ଏହି ଘଟଣା ପରେ ରାଜ୍ୟ ସରକାର ବେଶ୍‌ ତତ୍ପର ହୋଇଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ଚାଲୁଥିବା ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ କଡା ପଦକ୍ଷେପ ନେବାକୁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ମାର୍ଟସିଟି ରାଉରକେଲାରେ ଚାଲୁଥିବା ଉଭୟ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରାଗିଂ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଆଜି ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା।

ରାଉରକେଲା ଏସ୍‌ପି ମୁକେଶ କୁମାର ‌ଭାମୁ ଅଧ୍ୟକ୍ଷତା କରିଥିଲେ। ସହରର ପ୍ରମୁଖ ୧୯ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ବୈଠକରେ ଯୋଗଦେଇଥିଲେ। ରାଗିଂ ସମ୍ପର୍କିତ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ରାଗିଂ ନ ହେବାକୁ ଶିକ୍ଷାନୁଷ୍ଠାନର କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଣ୍ଟିଂ ରାଗିଂ ସ୍କ୍ବାର୍ଡ, ସିସି କ୍ୟାମେରା ଓ ଶିକ୍ଷାନୁଷ୍ଠାନ ଚତୁଃପାର୍ଶ୍ବ ଅନ୍ଧାରିଆ ସ୍ଥାନରେ ଉଜ୍ଜଳ ଆଲୋକବ୍ୟବସ୍ଥା କରିବାକୁ ପ୍ରତ୍ୟେକ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯଦି କୌଣସି ଶିକ୍ଷାନୁଷ୍ଠାନର ରାଗିଂ ସମ୍ପର୍କିତ କିଛି ସମସ୍ୟା ଉପୁଜେ ତୁରନ୍ତ ସ୍ଥାନୀୟ ପୁଲିସକୁ ଜଣାଇବାକୁ କୁହାଯାଇଥିଲା। ରାଗିଂ ସମ୍ପର୍କିତ କୌଣସି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପୁଲିସ ପକ୍ଷରୁ ସ୍ବତନ୍ତ୍ର ପୁଲିସ ଟିମ୍‌ ପ୍ରସ୍ତୁତି ରହିଛି ବୋଲି ଏସ୍‌ପି କହିଥିଲେ। ଉଲ୍ଲେଖଯୋଗ୍ୟ, ସହରର ଅନେକ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ରହିଛି। ଏସବୁ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଛାତ୍ରଛାତ୍ରୀ ଠିକ୍‌ ଭାବେ ରହୁଛନ୍ତି କି ନାହିଁ, ତା’ର ଟିକ୍‌ନିକ୍‌ ଯାଞ୍ଚ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର