ସ୍କୁଲ କାର୍ଯ୍ୟାଳୟକୁ ଡାକି ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନସ୍ଥ ନହଞ୍ଜରା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ସ୍କୁଲ ଭିତରକୁ ଡାକି ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ପୀଡ଼ିତା ପିତାଙ୍କ ଅଭିଯୋଗ ମୁତାବକ, ଗତକାଲି ନାବାଳିକା ଝିଅ ନିକଟରେ ଥିବା ଗ୍ରାମର ଅପର୍ତ୍ତି ପ୍ରଧାନ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରକୁ ପାଣି ଆଣିବାକୁ ଯାଇଥିଲା। ସେଠାରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ ଚନ୍ଦ୍ର ସାହୁ ଝିଅକୁ ଏକୁଟିଆ ଦେଖି ଅଫିସ୍‌ ଭିତରକୁ ଡାକିଥିଲେ। ଝିଅ ବି ପ୍ରଧାନ ଶିକ୍ଷକ କଥା ମାନି ତାଙ୍କ ଅଫିସ ଭିତରକୁ ଯାଇଥିଲା। ଅଫିସ ଭିତରେ ଝିଅ ପଶି ଯିବା ପରେ ପ୍ରଧାନଶିକ୍ଷକ ଝିଅକୁ ତାର ପୋଷାକ ଖୋଲିବାକୁ କହିବା ସହ ଯୌନ ନିର୍ଯାତନା ଦେଇଥିଲେ।

ଏହାପରେ ଝିଅକୁ ଚକୋଲେଟର ପ୍ରଲୋଭନ ଦେଖାଇ ଏ କଥା କାହାରିକୁ ନକହିବାକୁ କହିଥିଲେ। ଯଦି ସେ ଏ ବିଷୟରେ କାହାକୁ କୁହେଁ ତେବେ ସ୍କୁଲରୁ ତାର ନାମ କାଟି ଦେବେ ବୋଲି ପ୍ରଧାନ ଶିକ୍ଷକ ଧମକ ବି ଦେଇଥିଲେ।

କଳେବଳେ କୌଶଳେ ନାବାଳିକା ଶିକ୍ଷକଙ୍କ କବଳରୁ ମୁକୁଳି ଘରକୁ କାନ୍ଦିକାନ୍ଦି ଆସି ତା’ ମାଆ ପାଖରେ ସବୁକଥା କହିଥିଲା। ଶିକ୍ଷକଙ୍କ ଏଭଳି କାମରେ ଝିଅ ଚାପଗ୍ରସ୍ତ ହୋଇପଡ଼ିଛି। ଦୟାକରି ଦୋଷୀ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୀଡିତା ପିତା ଥାନାରେ ଅଭିଯୋଗ କରି ଗୁହାରି କରିଛନ୍ତି।

ଏହି ଘଟଣା ପରେ ପ୍ରଧାନ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର