ଫୁଲବାଣୀ: କମ ପିଲା ଥିବା ସ୍କୁଲ ବନ୍ଦ ବିଚାରଧୀନ ଥିବା ବେଳେ ପ୍ରଧାନଶିକ୍ଷକ ମନଇଛା ପିଲାଙ୍କ ଟିସି ଦେବାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟଣାସୁ ଗାଁରେ। ଏହି ଗାଁରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଲ ରହିଛି। ପିଲା ସଂଖ୍ୟା ୭୦ରୁ ଉର୍ଦ୍ଧ୍ବ। ହେଲେ ଷଷ୍ଟ ଓ ସପ୍ତମରେ କମ ପିଲା ଥିବାରୁ ସେମାନଙ୍କ ପାଖ ସ୍କୁଲକୁ ପଠାଇବାକୁ ହେବ। ଏଭଳି ସରକାରୀ ନିର୍ଦ୍ଦେଶନାମ ରହିଛି ସତ ହେଲେ ଗମନାଗମନା ସୁବିଧା ନଥିବାରୁ ପୁର୍ନବିଚାର କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।
ଟଣାସୁ ସ୍କୁଲର ଷଷ୍ଟ ସପ୍ତମ ଶ୍ରେଣୀ ବନ୍ଦ ହେବା ନିଷ୍ପତ୍ତି ସରକାରଙ୍କ ପାଖେ ବିଚାରଧୀନ ରହିଥିବା ବେଳେ ଆଜି ସକାଳେ ପିଲାଙ୍କୁ ଗୋଛାପଡା ସ୍କୁଲରେ ପାଠ ପଢିବାକୁ କହି ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବରାଳ ଟିସି ଦେଇଛନ୍ତି। ପିଲାମାନେ ପ୍ରଧାନଶିକ୍ଷକଙ୍କ କଥା ମାନି ଓ ଟିସି ନେଇ ଗୋଛାପଡା ସ୍କୁଲରେ ପହଞ୍ଚିଥିଲେ। ଏହା ଜଣା ପଡିବା ପରେ ଟଣାସୁ ଗ୍ରାମବାସୀ ଓ ପିଲାଙ୍କ ଅଭିଭାବକ ସେଠାରେ ପହଞ୍ଚି ପିଲାଙ୍କୁ ଫେରାଇ ଆଣିଥିଲେ। ଏ ନେଇ ସେମାନେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ପୁର୍ନବାର ପିଲାମାନେ ଟଣାସୁ ସ୍କୁଲରେ ନାମ ଲେଖାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପିଲା ଓ ଅଭିଭାବକ ସ୍କୁଲରେ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ବି ପ୍ରଧାନଶିକ୍ଷକଙ୍କ ଦେଖା ମିଳି ନଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବ୍ଲକ ଶିକ୍ଷା ବିନୋଦଚନ୍ଦ୍ର ଦିଗାଲ କହନ୍ତି ସ୍କୁଲ ବନ୍ଦ ବିଚରାଧୀନ ଥିବା ବେଳେ ପ୍ରଧାନଶିକ୍ଷକ ପିଲାଙ୍କୁ ଟିସି ଦେବା ଠିକ୍ ହୋଇ ନାହିଁ। ଏ ନେଇ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।