ବିଦ୍ୟାଳୟରେ ତିନି ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଭଦ୍ରକ: ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଭଦ୍ରକ ଜିଲ୍ଲାରେ ତିନି ଜଣ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଚାକିରିରୁ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ପଦ୍ମପୋଖରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାଗରିକା ରାଉତଙ୍କୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁସାରେ ପଦ୍ମପୋଖରୀ ସ୍କୁଲରେ ଗତ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରଷିବା ସମୟରେ ବିଜୟ ସେଠୀଙ୍କ ଝିଅ ତଥା ପ୍ରଥମ ଶ୍ରେଣୀର ଛାତ୍ରୀ ଉର୍ମିଳା ସେଠୀ, ସଞ୍ଜୟ ସେଠୀଙ୍କ ପୁଅ ତଥା ଦ୍ୱିତୀୟ ଶ୍ରେଣୀର ଛାତ୍ର ଦିବ୍ୟରଞ୍ଜନ ସେଠୀ ଓ ନିଧିରାମ ସ୍ୱାଇଁଙ୍କ ପୁଅ ତଥା ଦ୍ୱିତୀୟ ଶ୍ରେଣୀର ଛାତ୍ର ଆଦର୍ଶ ସ୍ୱାଇଁ ପାଟିତୁଣ୍ଡ କରିଥିଲେ। ତିନି ଛାତ୍ରଛାତ୍ରୀ ପାଟିତୁଣ୍ଡ କରିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏମାନଙ୍କୁ ଦଣ୍ଡ ସ୍ୱରୂପ କିଛି ସମୟ ପାଇଁ ଆଣ୍ଠେଇ ରହିବାକୁ କହିଥିଲେ।

ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବା ନେଇ ସେମାନଙ୍କର ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଜ୍ଞାନ ଦାସ ଏବାବଦରେ ଅବଗତ ହେବା ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ପାଇଁ ବିଇଓଙ୍କୁ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର