ଦୁଇ ଦିନିଆ ବିଜୁ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ; ପହଞ୍ଚିଲେ ୪ ବିଶେଷଜ୍ଞ ସହ ୬ କନିଷ୍ଠ ଡାକ୍ତର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଆରମ୍ଭ ହେଲା ବିଜୁ ବାୟୁ ସ୍ବାସ୍ଥ୍ୟ ସେବା। ଗତ ଡିସେମ୍ବର ମାସରେ ଏହାର ଶୁଭାରମ୍ଭ ହୋଇଥିଲା। ଡିସେମ୍ବର ୨୦ ତାରିଖରେ ଡାକ୍ତର ମାନେ ମାଲକାନଗିରି ମେଡିକାଲରେ ପହଞ୍ଚି ପ୍ରାୟ ତିନିଶହ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଉଚିତ ପରାମର୍ଶ ଦେଇଥିଲେ। ତେବେ ଦୀର୍ଘଚାରି ମାସ ପରେ ଏବେ ପୁଣି ଏହି ସେବା ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଫୋକସ କରୁଥିବା ବେଳେ ଏଠାରେ ଲୋକେ କିପରି ମାଗଣାରେ ଭଲ ସ୍ବାସ୍ଥ୍ୟ ସେବା ପାଇବେ ସେନେଇ ସମସ୍ତ ବିଜୁ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ କରିଛନ୍ତି।

ଆଜି ଚାଟାର୍ଡ଼ ପ୍ଲେନ ଯୋଗେ ଡାକ୍ତରମାନେ ଜୟପୁର ପହଞ୍ଚିବା ପରେ ସେଠାରୁ ଚାରିଚକିଆ ଯାନରେ ମାଲକାନଗିରିରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣ ବିଶେଷଜ୍ଞ ଡାକ୍ତର ରହିଥିବା ବେଳେ ୭ ଜଣ କନିଷ୍ଠ ଡାକ୍ତର ରହିଛନ୍ତି। ଡାକ୍ତରମାନେ ପହଞ୍ଚିବା ପରେ ମେଡିକାଲ ପକ୍ଷରୁ ସେମାନଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ଏହି ଡାକ୍ତର ମାନେ ହେଲେ କାଡିୟୋଲୋଜି ଡାକ୍ତର ଚନ୍ଦ୍ରକାନ୍ତ ମିଶ୍ର, ଲେପ ସର୍ଜରୀ ଡାକ୍ତର ବନବିହାରୀ ମିଶ୍ର, ୟୁରୋଲୋଜି ଡାକ୍ତର ବେଣୁ ପାଣିଗ୍ରାହୀ, ହେପଟୋଲୋଜୀ ଡାକ୍ତର ସୁଶାନ୍ତ କୁମାର ଜେନା, ଆନେସ୍ଥେସିଆ ଡାକ୍ତର ଶିଦ୍ଧାର୍ଥ ଶ୍ରବଣ ରାଉତରାୟ। କନିଷ୍ଠ ଡାକ୍ତରମାନେ ହେଲେ ଡଃ.ସୂର୍ଯ୍ୟକାନ୍ତ ପରିଡା, ଡଃ. ଡି.ଭି. ରବୀକୁମାର, ଡଃ. ରାହୁଲ ବରାଳ, ଡଃ. ଅଭିଲେଖ ତ୍ରିପାଠୀ, ଡଃ. ୟସ୍ ମହାରଣା, ଡଃ. ସୁନିଲ କୁମାର ପ୍ରଧାନ ଏବଂ ଡଃ. ବିଦ୍ୟାପତି ଆଚାର୍ଯ୍ୟ।

Sambad

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିବାରୁ ଏଥର ରୋଗୀଙ୍କ ସଂଖ୍ୟା ବଢିବ ବୋଲି କୁହାଯାଇଛି। ପ୍ରାୟ ୧୨ ଜଣ ବିଭିନ୍ନ ରୋଗର ଅପରେସନ ହେବାକୁ ଥିବାବେଳେ ଦେଢ ଶହ ଜଣ ଅଲ୍‌ଟ୍ରାସାଉଣ୍ଡ କରିବାକୁ ଅପେକ୍ଷା କରିଥିଲେ। ସେହିପରି ଦେଢ ଶହ ଜଣ ବିଭିନ୍ନ ରୋଗ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଅପେକ୍ଷା କରିଥିଲେ। ତେବେ ଦୁଇ ଦିନରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଏହି ଡାକ୍ତର ମାନେ ଚିକିତ୍ସା କରିବେ ବୋଲି ଜଣାପଡିଛି। ମାଲକାନଗିରିର ଗୁରୁତର ରୋଗୀମାନେ ବିଶାଖାପାଟଣମ୍ କିମ୍ବା କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିଲେ। ତେବେ ଏଠାରେ ସେହି ସୁବିଧା ଯୋଗାଇ ଦିଆଯାଉଥିବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। କେବଳ ମାଲକାନଗିରି ଜିଲ୍ଲା ହିଁ ନୁହେଁ ବରଂ ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡର ରୋଗୀ ମାନେ ମଧ୍ୟ ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା। ଆସନ୍ତାକାଲି ରୋଗୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଇଛି। ସିଡିଏମଓ ଡଃ. ପ୍ରଫୁଲ କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି।

ସମ୍ବନ୍ଧିତ ଖବର