ଦୁଇବର୍ଷ ହେଲା ରୋଗଶଯ୍ୟାରେ ନବୀନ, କାମ‌ରେ ଆସୁନି ସ୍ବାସ୍ଥ୍ୟକାର୍ଡ଼ 

ପ୍ରତାପୁର: ଦୁଇବର୍ଷ ହେଲା ରୋଗଶଯ୍ୟାରେ ପଡ଼ି ଛଟପଟ ହେଉଛନ୍ତି ନବୀନ। ରୋଗ ପରୀକ୍ଷା କରିବା ପାଇଁ ମଧ୍ୟ ପାଖରେ ଟଙ୍କା ନାହିଁ। ଶରୀର ମଧ୍ୟରେ କୌଣସି ଶିର ବଙ୍କା ହୋଇଯାଇଥିବାରୁ ପରିସ୍ରା କରିପାରୁନାହାନ୍ତି। ପ୍ରତି ୧୦ରୁ ୧୨ ଦିନରେ ଥରେ ପରିସ୍ରା ପାଇପ୍ ବଦଳା ଯାଉଛି। ଯେଉଁଥି ପାଇଁ ୧୫୦୦ ଟଙ୍କା ଆବଶ୍ୟକ ପଡ଼ୁଛି। ଏଭଳି ଦୁଃଖଦ ଖବର ଆସିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ କଲ୍ୟାଣପୁରରୁ। ଗ୍ରାମର ନବୀନ ଗୌଡ଼(୫୮) ଚାଷକାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ହଠାତ ଦୁଇଟି ଗୋଡ଼ ଅଚଳ ହେବାରୁ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଏଥିସହ ପେଟରେ ଯନ୍ତ୍ରଣା ହେବା ସହ ପରିସ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା। ଭଞ୍ଜନଗର ଓ ବ୍ରହ୍ମପୁରରେ ଦେଖାଇ ଅନେକ ଟଙ୍କା ଖର୍ଚ୍ଚ ପରେ ଏବେ ଆଉ ଅଧିକ ଚିକିତ୍ସା ପାଇଁ ସାହସ କରିପାରୁନାହାନ୍ତି। ନିଜର କିଛି ଜମିବାଡ଼ି ବିକ୍ରି କରିବା ସହ ପାଖରେ ଥିବା ସବୁ ସମ୍ବଳ ସରିଗଲାଣି। ଏବେ ଏକମାତ୍ର ପୁଅ ଯାହା ରୋଜଗାର କରି ଆଣୁଛି, ସେଥିରେ ପରିବାର ଚଳୁଛି। ହେଲେ ନବୀନଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ ହୋଇପାରୁନାହିଁ। ଗତ ଦୁଇ ବର୍ଷ ହେବ ନବୀନ ଏଭଳି ରୋଗରେ ପଡ଼ି କଷ୍ଟ ପାଉଛନ୍ତି। ସାହିପଡ଼ୋଶୀଙ୍କ ଠାରୁ କରଜ କରିବା ସହ ନିଜର ସମସ୍ତ ସମ୍ବଳ ଚିକିତ୍ସା ଲାଗି ଖର୍ଚ୍ଚ କରିସାରିଛନ୍ତି।
ସବୁଠାରୁ ଦୁଃଖର କଥା ହେଉଛି ନବୀନଙ୍କ ପାଖରେ ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସ୍ୱାସ୍ଥ୍ୟକାର୍ଡ଼ ରହିଛି। ହେଲେ ଏହାଦ୍ୱାରା ସେ କୌଣସି ଲାଭ ପାଇପାରୁନାହାନ୍ତି। କାର୍ଡ଼ କାମରେ ଆସିବନି ବୋଲି ଡାକ୍ତରମାନେ କହୁଛନ୍ତି। ଫଳରେ ନବୀନଙ୍କ ଚିକିତ୍ସା ଲାଗି ପ୍ରଶାସନ ସହାୟତାର ହାତ ବଢ଼ାଇବାକୁ ତାଙ୍କ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି।
ସମ୍ବନ୍ଧିତ ଖବର