ଫାର୍ମାସିଷ୍ଟ ଭରସାରେ ଉପାନ୍ତ ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ର

ରାଉରକେଲା/ଗୁରୁଣ୍ଡିଆ: ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ଉପାନ୍ତ ଅଞ୍ଚଳରେ ରୋଗୀମାନେ କେମିତି ସ୍ବାସ୍ଥ୍ୟସେବା ପାଉଛନ୍ତି, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବାସ୍ତବ ଚିତ୍ରରୁ ଜଳ ଜଳ ହୋଇ ବାରିହୋଇ ପଡୁଛି। ସ୍ବାସ୍ଥ୍ୟସେବାର ଏମିତି ସାଂଘାତିକ ସ୍ଥିତି ଉପୁଜିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ସୋଲ୍‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଜର୍ଡା, ସୋଲ୍‌, ତାମଡା ଓ ବାଙ୍କି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି। ଏଥି ମଧ୍ୟରୁ ସୋଲ୍‌ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଡାକ୍ତର ନାହାନ୍ତି।

ଫାର୍ମାସିଷ୍ଟ ଭରସାରେ ଗତ ୧୦ ବର୍ଷ ଧରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ସୁଇପର ଓ ଆଟେଣ୍ଡାଣ୍ଟ ପଦବୀ ଦୀର୍ଘ ଦିନରୁ ଖାଲି ପଡିଥିଲେ ହେଁ ପୂରଣ ହେଉ ନାହିଁ। ଡାକ୍ତରମାନେ ମାସରେ ଥରେ ଅଧେ ଆସୁଛନ୍ତି। ପୁଣି ଚାଲି ଯାଉଛନ୍ତି। କାହିଁକି ସ୍ବାସ୍ଥ୍ୟକେନ୍ଦ୍ରରେ ରହୁ ନାହାନ୍ତି, ସେ ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପାଖରେ କୌଣସି ଉତ୍ତର ନାହିଁ। ବିଡମ୍ବନା, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁରୁଣ୍ଡିଆ ଠାରୁ ପ୍ରାୟ ୧୨୦ କି.ମି. ଦୂରରେ ରହିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ଲାଗିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କିପରି ସ୍ଥାନୀୟ ଲୋକ ଉତ୍ତମ ଚିକିତ୍ସା ପାଇଁ କାହାରି ଦୃଷ୍ଟି ପଡୁନାହିଁ। ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନ ସମସ୍ତେ ଜାଣିଶୁଣି ଚୁପ୍‌ ରହୁଛନ୍ତି। ଫଳରେ ନିରୀହ ଆଦିବାସୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଡାକ୍ତରଖାନା ଉପରେ ଅସୁରଖୋଲ, ବିଞ୍ଜିଖୋଲ, ଝାଳିଆଡିହି, କୁରାବିରା, ମହୁଲଡିହି, ସିଆଁପାଲି, ସଲଗୁଡା, ଟୁକୁଡା, ବଡକୁଦର, ବ୍ରାହ୍ମଣୀବସା, କଣ୍ଟାମୁଣ୍ଡା,କୁସୁମଡିହି, ନୂଆପାଲି, ଠାକୁରପାଲି, ଉଲୁଣ୍ଡାଝରଣ ଆଦି ଗାଁର ପ୍ରାୟ ୮ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ହେଲେ ଡାକ୍ତର ନଥିବାରୁ ପ୍ରାୟ ସମସ୍ତ ଲୋକ ସୋଲ୍‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ମୁହଁ ମୋଡୁଛନ୍ତି। ଖର୍ଚ୍ଚାନ୍ତ ହେଉଥିଲେ ହେଁ ସେମାନେ ସିଧାସଳଖ ସମ୍ବଲପୁର କୁଚିଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନ ହେଲେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଅବସ୍ଥା ନ କହିଲେ ଭଲ। ମୁଖ୍ୟ ରାସ୍ତାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ ରାସ୍ତା ଫାଟି ଆଁ କରିଛି। ସ୍ବାସ୍ଥ୍ୟକେନ୍ଦ୍ର, ସରକାରୀ କ୍ବାର୍ଟର୍ସ ସ୍ଥିତି ଆହୁରି ସାଂଘାତିକ। ମରାମତି, ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ କ୍ବାର୍ଟର୍ସ ଓ ହସ୍ପିଟାଲର କାନ୍ଥ, ଛାତ ଫାଟିଛି। କିଛି ସରକାରୀ କ୍ବାର୍ଟର୍ସର ଭୂତକୋଠିର ପରିଣତ ହୋଇସାରିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ ଶୁନ। କେବଳ ସୋଲ୍‌ ନୁହେଁ ଅନ୍ୟ ତିନିଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସମାନ ସ୍ଥିତି। ତେବେ ଉପାନ୍ତ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ପ୍ରାଥମିକତା ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର