ଖୋଲା ଆକାଶ ତଳେ କୋଟିଏ ଟଙ୍କାର ମେସିନ୍ ପଡ଼ିରହିବା ଘଟଣା, ସିଡିଏମଓଙ୍କୁ ରିପୋର୍ଟ ତଲବ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ରାୟଗଡ଼ା: ସ୍ବାସ୍ଥ୍ୟକେନ୍ଦ୍ରରେ ଜୈବ ଆବର୍ଜନା ପରିଚାଳନା ପାଇଁ ଆସିଥିବା ମେସିନ୍ ଖୋଲା ଆକାଶ ତଳେ ପଡ଼ିରହିବା ଘଟଣାରେ ହସ୍ତକ୍ଷେପ କରିଛି ସ୍ବାସ୍ଥ୍ୟ ବିଭାଗ। ‘ସମ୍ବାଦ’ ରେ ଏ ନେଇ ଖବର ପ୍ରକାଶ ପରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ଖୁବ୍ ଶୀଘ୍ର ମେସିନ୍ ଗୁଡ଼ିକୁ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ସହ ଇନଷ୍ଟାଲେସନ୍ କରିବାକୁ ନିର୍ଦ୍ଦେଶ ହୋଇଛି। ରାଜ୍ୟ ଔଷଧ ନିଗମ ଲିମିଟେଡ୍ ପକ୍ଷରୁ ୨୫ଟି ଅଟୋ କ୍ଲେଭ, ୨୫ଟି ସେଡର୍ ମେସିନ୍ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଫେବ୍ରୁଆରୀ ମାସରେ ପ୍ରଦାନ କରାଯାଇଥିଲା। ରାୟଗଡ଼ା ମୁଖ୍ୟାଳୟରୁ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମେସିନ୍ ଗୁଡ଼ିକ ସ୍ଥାନାନ୍ତର ପାଇଁ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ଦେଇଥିଲା ସ୍ବାସ୍ଥ୍ୟ ବିଭାଗ। ମାର୍ଚ୍ଚ ୭ ତାରିଖରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ମେସିନ୍ ଗୁଡ଼ିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପାରିନି। କରୋନା ଆଳରେ ଟେଣ୍ଡର ନେଇଥିବା ସଂସ୍ଥା ସମୟ ଗଡ଼ାଇ ଚାଲିଥିବା ବେଳେ ଅତ୍ୟଧିକ ଓଜନ ଓ ବଡ଼ ଆକାରର ହୋଇଥିବାରୁ ମେସିନ୍ ଗୁଡ଼ିକୁ ଅନ୍ୟତ୍ର ନ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି।

ଫଳରେ କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ମେସିନ୍ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ଷମ ହେବା ବଦଳରେ ଗତ ୮ ମାସ ହେଲା ଖରା, ବର୍ଷା ଖାଇ ଖୋଲା ଆକାଶ ତଳେ ପଡିଛି। କିଛି ମେସିନ୍ ପ୍ୟାକିଂ ଖୋଲି ନଷ୍ଟ ହେବାକୁ ବସିଲାଣି। ଆଉ କିଛି ଉପରେ ଗଛଲତା ମଧ୍ୟ ମାଡ଼ି ଗଲାଣି। ‘ସମ୍ବାଦ’ ରେ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଇ-ମେଲ୍ ଜରିଆରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ରିପୋର୍ଟ ତଲବ ହୋଇଛି। କାହିଁକି ଏବଂ କେଉଁ କାରଣ ପାଇଁ ମେସିନ୍ ଗୁଡ଼ିକ ଏପରି ପଡି ରହିଛି ତାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ବିଭାଗ ପରିବହନ ଟେଣ୍ଡର, କେବେ କେଉଁଠୁ ଏହି ମେସିନ୍ ଆସିଥିଲା ତାର ସମସ୍ତ ତଥ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ପରିବହନ ଟେଣ୍ଡର ନେଇଥିବା ସଂସ୍ଥା ମେସିନ୍ ଗୁଡ଼ିକୁ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବ।

ରାୟଗଡ଼ା ଜିଲ୍ଲାର ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୩୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ଦୈନିକ ବାହାରୁଥିବା ଗଜ, ବ୍ୟାଣ୍ଡେଜ, ସିରିଞ୍ଜ ଭଳି ଆବର୍ଜନାକୁ ବାହାରେ ନ ପକାଇ ମେସିନ୍ ମାଧ୍ୟମରେ ନଷ୍ଟ କରିବାକୁ ଯୋଜନା କରି ୨୫ଟି ଅଟୋ କ୍ଲେଭ, ୨୫ଟି ସେଡର୍ ମେସିନ୍ ରାୟଗଡ଼ାକୁ ପ୍ରଦାନ କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ମେସିନ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ବଦଳରେ ଖୋଲା ଆକାଶ ତଳେ ପଡି ରହିଛି |

 

ସମ୍ବନ୍ଧିତ ଖବର