ସ୍ନାୟୁରୋଗରେ ଆକ୍ରାନ୍ତ ଶିଶୁକନ୍ୟାର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ତିଗିରିଆ: ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଥିବା ତିଗିରିଆ ବ୍ଲକ୍‌ ଭୋଗଡ଼ା ପଞ୍ଚାୟତସ୍ଥିତ ଗୋକର୍ଣ୍ଣଖାଲ ମୁଣ୍ଡିଆସାହିର ବିଭୂତିଭୂଷଣ ମହାନ୍ତି ଓ ରେଣୁବାଳା ମହାନ୍ତିଙ୍କ ତିନିବର୍ଷର ଝିଅ ଶୁଭଶ୍ରୀଙ୍କ ଚିକିତ୍ସା ଅର୍ଥାଭାବରୁ ଠିକ୍‌ ଭାବେ ହୋଇପାରୁ ନ ଥିବା ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଶିଶୁଟିର ଚିକିତ୍ସା ନିମନ୍ତେ ସହାୟତା ଯୋଗାଇଦେବାକୁ ଆଠଗଡ଼ ବିକାଶ ମଞ୍ଚ ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ, ମୋ ସରକାର ଓ ଅନ୍ୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରିଥିଲେ। ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକ ବଡ଼ ଡାକ୍ତରଖାନା କିମ୍ବା ଆବଶ୍ୟକତା ହେଲେ ଅନ୍ୟ ଡାକ୍ତରଖାନାରେ ଶୁଭଶ୍ରୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଦେବାକୁ ଟ୍ବିଟର୍‌ରେ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଥାଉ କି, ଗୋକର୍ଣ୍ଣଖାଲ ଗ୍ରାମର ବିଭୂତିଭୂଷଣ ମହାନ୍ତି ଏକ ଲୁଗା ଦୋକାନରେ କାର୍ଯ୍ୟ କରି ବୃଦ୍ଧ ପିତାମାତା, ପତ୍ନୀ ଓ ପୁଅଝିଅଙ୍କ ପ୍ରତିପୋଷଣ କରୁଥିଲେ। ପ୍ରାୟ ୬ବର୍ଷ ତଳେ ତାଙ୍କ ପୁଅ ବାତରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିଲା। ପୁଅକୁ ଭଲ କରିବା ପାଇଁ ସେ ପତ୍ନୀଙ୍କ ଗହଣା, ଜମି ବିକ୍ରି କରିବା ପାଇଁ ଧାରଉଧାର କରି ଚିକିତ୍ସା କରିଥିଲେ। ହେଲେ, ଗତବର୍ଷ ଫେବ୍ରୁଆରି ପୁଅର ମୃତ୍ୟୁ ଘଟିଥିଲା।ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବିଭୂତି ନିଜ ଚାକିରି ଛାଡ଼ି ଦେଇଥିଲେ। ଇତିମଧ୍ୟରେ ତାଙ୍କର ୩ବର୍ଷର ଝିଅ ସ୍ନାୟୁରୋଗରେ ଆକ୍ରାନ୍ତ ହୋଇଥିଲା। ଝିଅଟି ସମସ୍ତ କାର୍ଯ୍ୟ ବନ୍ଦ କରି ଶେଯରେ ପଡ଼ିରହିଥିବା ଜଣାପଡ଼ିଛି। ପୁଅର ଚିକିତ୍ସା ପାଇଁ ସର୍ବସ୍ବାନ୍ତ ହୋଇଯାଇଥିବା ବିଭୂତି ଝିଅକୁ ନେଇ ଏମ୍ସ, ଶିଶୁ ଭବନ, କଟକ ବଡ଼ଡାକ୍ତରଖାନା ସମେତ ବିଭିନ୍ନ ବେସରକାରୀ ଚିକିତ୍ସାଳୟକୁ ଯାଇଥିଲେ। ହେଲେ, ରୋଗ ଭଲ ହୋଇ ନ ଥିଲା। ଝିଅର ଉନ୍ନତ ଚିକିତ୍ସା ପାଇଁ ତାକୁ ବେଙ୍ଗାଲୁରୁ ନେବାକୁ ଚାହୁଁଥିଲେ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ଏଥିପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ଆଠଗଡ଼ ବିକାଶ ମଞ୍ଚ ସଭାପତି ଶ୍ରୀ ବସ୍ତିଆ ଟ୍ବିଟ୍‌ କରିଥିଲେ। ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁଭଶ୍ରୀଙ୍କ ମାଗଣାରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଶିଶୁକନ୍ୟା ନବଜୀବନ ପାଇବାର ଆଶା ସଂଚାର ହୋଇଛି। ଏଥିପାଇଁ ଶୁଭଶ୍ରୀଙ୍କ ବାପାମା ‘ସମ୍ବାଦ’ ଓ ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର