କୋଟିଆ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଦେବା ନେଇ ଜିଲା ପ୍ରଶାସନର ପଦକ୍ଷେପ

କୋରାପୁଟ: କୋରାପୁଟ ଜିଲାର ସୀମାନ୍ତ କୋଟିଆ ପଚାଂୟ୍‌ତର ସମସ୍ତ ଗ୍ରାମବାସୀଙ୍କୁ ଘରେ ଘରେ ସ୍ୱାସ୍ଥ୍ୟସେବା ଦେବା ନେଇ ଜିଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିନେଇ ବୁଧବାରଠାରୁ ପଦକ୍ଷେପ ଆରମ୍ଭ କରାଯାଇଛି । କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର, ଜଣେ ଫାର୍ମାସିଷ୍ଟ ଜଣେ ଏଏନଏମ, ଜଣେ ଆଟେଣ୍ଡାନ୍ଟ, ଜଣେ ସୁରକ୍ଷା କର୍ମଚାରୀ ଓ ଜଣେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କୋଟିଆ ସବସେଣ୍ଟର ନିମନ୍ତେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ, ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ୯ ଜଣ ଆଶା, ୮ ଜଣ ଅଙ୍ଗନବାଡି କର୍ମଚାରୀ ଏବଂ ଥୁରିଆ ସବସେଣ୍ଟର ନିମନ୍ତେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ, ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ୯ ଜଣ ଆଶା, ୧୦ ଜଣ ଅଙ୍ଗନବାଡି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ଏମାନେ ଘର ଘର ବୁଲି ଗ୍ରାମବାସୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ଯଥା ଶିଶୁର ସ୍ୱାସ୍ଥ୍ୟ,ପରିବାର ନିୟନ୍ତ୍ରଣ ଆଦି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ପଚାରି ବିସ୍ତୃତ ତଥ୍ୟ ଆଣିବାକୁ କୁହାଯାଇଛି ।

ସେହିପରି ଗ୍ରାମରେ ସଂପୃକ୍ତ ଗ୍ରାମ କଲ୍ୟାଣ ସମିତି ଜରିଆରେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଲୋକଙ୍କୁ ସଚେତନତା କରିବା ନେଇ ବୈଠକ କରିବା, ସେହିପରି ମ୍ୟାଲେରିଆ ନେଇ ଲୋକଙ୍କୁ ସଚେତନ କରିବା ସହ ମଶାରି ବଣ୍ଟନ କରିବା, ସପ୍ତାହର ପ୍ରତି ବୁଧବାର ସ୍ୱାସ୍ଥ୍ୟ କର୍ମଚାରୀ ଘରେ ଘରେ ଯାଇ ଲୋକଙ୍କ କୋଭିଡ ପରୀକ୍ଷା କରାଯାଉଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର