ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଭୁଶୁଡିବାରେ ଲାଗିଛି ସ୍ବାସ୍ଥ୍ୟବସ୍ଥା। ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବି ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାଁନ୍ତି। ୫ଟି ବିଭାଗରେ ଗୋଟିଏ ମାତ୍ର ବିଶେଷଜ୍ଞ ଡାକ୍ତର ନଥିବା ବେଳେ କିଛି ବିଭାଗରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ଅଛନ୍ତି। ସଦର ମହକୁମା ଚିକିତ୍ସାଳୟ ଉପରେ ମାଲକାନଗିରି ଜିଲ୍ଲା ସହ ଛତିଶଗଡ ଓ ଆନ୍ଧ୍ର ରୋଗୀ ମଧ୍ୟ ନିର୍ଭର କରୁଛନ୍ତି। ଏବେ ବି ଉପାନ୍ତ ଅଞ୍ଚଳ ଗୁଡିକରେ ଲୋକେ ଡାକ୍ତରଙ୍କ ଉପରେ ଭରସା ନକରି ଗୁଣିଆଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ଏକଥାକୁ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିବା ସହ ଡାକ୍ତର ଅଭାବ ଯୋଗୁଁ ଅଳ୍ପ ସଂଖ୍ୟକ ଡାକ୍ତରରେ ସ୍ବାସ୍ଥ୍ୟ ସେବା ଯୋଗାଉ ଥିବା ସ୍ବାସ୍ଥ୍ୟ ବିଭାଗ କହୁଛି।
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତର କୁମ୍ଭଗୁଡା ଗାଁରେ ଏକ ପାରମ୍ପରିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗାଁ ମୁଣ୍ଡ ଗଛ ତଳେ ଚାଲିଥିଲା ଝଡାଫୁଙ୍କା। ଏ ବ୍ୟକ୍ତି ମାନଙ୍କୁ ଦୀର୍ଘଦିନ ଧରି ଜ୍ବର ହୋଇଥିଲେ ମଧ୍ୟ ଚିକିତ୍ସାଳୟକୁ ନଯାଇ ଗୁଣିଆ ପାଖରେ ଝଡାଫୁଙ୍କାର ନେଉଛନ୍ତି ସାହାରା। କେବଳ ଏହି କୁମ୍ବାଗୁଡା ନୁହେଁ ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁଡିକରେ ଏଭଳି ଚିତ୍ର ପ୍ରାୟତଃ ଦେଖିବାକୁ ମିଳିଥାଏ। ପୁଣି ଧର୍ମପାଲୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ। ଯଦିଓ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି। ତାଙ୍କ ଅନୁପସ୍ଥିତିରେ ଏଭଳି ଚାଲେ ଚିକିତ୍ସା। ୧୦ ହଜାରରୁ ଅଧିକା ଲୋକେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଆଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ନକହିବା ଭଲ।ସକାଳ ପାଇଲେ ଲୋକଙ୍କର ନାହିଁ ନଥିବା ଭିଡ ଏହି ଚିକିତ୍ସାଳୟରେ। ଯଦିଓ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟାକୁ ଦେଖି ବାରଣ୍ଡାରେ ଅଧିକ ଖଟ ପକାଇ କରାଯାଉଛି ଚିକିତ୍ସା। ସଦର ମହକୁମା ଚିକିତ୍ସାଳୟରେ ୧୦୯ ଜଣ ଡାକ୍ତରଙ୍କ ପାଇଁ ପଦବୀ ରହିଥିବା ବେଳେ ମାତ୍ର ୩୩ ଜଣ ଅଛନ୍ତି। ସେହିପରି ଜିଲ୍ଲାରେ ୨୭୭ ଜଣ ଡାକ୍ତର ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୦୯ ଜଣ। ପାଥୋଲୋଜିଷ୍ଟ, କ୍ୟାଡଲୋଜିଷ୍ଟ, ଗ୍ୟାଷ୍ଟୋଲୋଜିଷ୍ଟ, ନେଥଲୋଜିଷ୍ଟ ଓ ରେଡିଓଲୋଜିଷ୍ଟ ପରି ବିଭାଗରେ କୌଣସି ଡାକ୍ତର ଜିଲ୍ଲାରେ ନଥିବା ବେଳେ ପେଡିୟାଟ୍ରିକ ଓ ଅର୍ଥୋପେଡିକ ପରି ଅନେକ ବିଭାଗରେ ଜିଲ୍ଲାରେ ଜଣେ ମାତ୍ର ଡାକ୍ତର ରହିଛନ୍ତି। ତେଣୁ ମାଲକାନଗିରି ଜିଲ୍ଲାରେ ସୁଧୁରିବାରେ ଲାଗୁନି ସ୍ବାସ୍ଥ୍ୟ ବ୍ୟବସ୍ଥା।
ରୋଗୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଯେଉଁମାନଙ୍କର ଅର୍ଥ ଅଛି ସେମାନେ ବାହାରେ ଉତ୍ତମ ଚିକିତ୍ସା ପାଉଥିବା ବେଳେ ଗରିବ ଲୋକ କିନ୍ତୁ ଭାଗ୍ୟକୁ ଆଦରି ପଡି ରହିଛି। ଗୁଣିଆ ପାଖରେ ଚିକିତ୍ସା କରାଯିବା କଥା ନିଜେ ସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ। କିଛି ଡାକ୍ତର ପିଜି କରିବାକୁ ଯାଇଥିବାରୁ ଏବଂ ଡାକ୍ତର ଆସୁନଥିବାରୁ ଏଭଳି ସମସ୍ୟା ଉପୁଜୁଛି। ତେଣୁ ଆମେ ଅଳ୍ପ ସଂଖ୍ୟକ ଡାକ୍ତରରେ ରୋଗୀଙ୍କ ସେବା ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛୁ ବୋଲି ବିଭାଗ କହୁଛି। ମାଲକାନଗିରି ଜିଲ୍ଲା ଉପରେ କେବଳ ମାଲକାନଗିରି ଜିଲ୍ଲା ନୁହେଁ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ରୋଗୀ ନିର୍ଭର କରି ଆସୁଛନ୍ତି। ତେଣୁ ଉପାନ୍ତ ମାଲକାନଗିରି ଜିଲ୍ଲାକୁ ସରକାର ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଚେଷ୍ଟା କଲେ ଅନେକ ଧନ ଜୀବନ ରକ୍ଷା ହୋଇପାରନ୍ତା। ଅନ୍ୟଦିଗରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହୋଇ ବନ୍ଦ ହୋଇଯାଇଛି। ଏହା ପୁଣି କେବେ ଆରମ୍ଭ ହେବ ତାହା ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ। ବାୟୁ ସ୍ବାସ୍ଥ୍ୟ ସେବାକୁ ଅପେକ୍ଷା କରି ରୋଗୀ ଏବେ ଜଳକା। ସରକାର ଦିନକୁ ଦିନ ନୂତନ ଯୋଜନା ପ୍ରଣୟନ କରୁଛନ୍ତି ସତ କିନ୍ତୁ ଏହା କେତେ ଦୁର କାର୍ଯ୍ୟକାରୀ ହେଉଛି ତାହା ତଦନ୍ତ କରାଯାଉ ନାହିଁ। ଏନେଇ ସିଡିଏମଓ ଡଃ. ପ୍ରଫୁଲ କୁମାର ନନ୍ଦଙ୍କୁ ପଚାରିବାରୁ ବାୟୁ ସ୍ବାସ୍ଥ୍ୟ ସେବା ପୁଣି ଆରମ୍ଭ ହେବ ବୋଲି କହିଥିଲେ ମଧ୍ୟ କେବେ ଆରମ୍ଭ ହେବ ଏବଂ କେବେ ଠାରୁ ବନ୍ଦ ହୋଇ ପଡିଛି ତାହା ସ୍ପଷ୍ଟ କରି ପାରିନଥିଲେ।