ଝିଅର ଚିକିତ୍ସା ପାଇଁ ମା’ ସନ୍ଧ୍ୟାର ଆକୁଳ ନିବେଦନ, ସହଯୋଗର ହାତ ବଢାଇଲେ ବିନୋଦ

ମାଲକାନଗିରି: ମାଲକାନଗିରି ବ୍ଲକର ଏମଭି-୩୦ ଗ୍ରାମର ସନ୍ଧ୍ୟା ବିଶ୍ବାସ। ସ୍ବାମୀ ଆରପାରିକୁ ଚାଲିଯାଇଥିବା ବେଳେ ଘରେ ସେ ଏକାକୀ ରୋଜଗାରିଆ। ତିନି ଝିଅଙ୍କୁ ବାହା ଦେଇଥିବା ବେଳେ ଘରେ ଏବେ ସାନ ଝିଅ ଏବଂ ପୁଅ ରହିଛନ୍ତି। ସାନ ଝିଅ ବୋନ ଟିବିରେ ପୀଡିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁରକୁ ଯିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ ପାଖରେ ଟଙ୍କାଟିଏ ବି ନଥିବାରୁ ସେ କିପରି ଝିଅକୁ ବ୍ରହ୍ମପୁର ନେବେ ଚିନ୍ତାରେ ପଡିଥିଲେ। କେହି ତାଙ୍କୁ ସମାଜସେବୀ ବିନୋଦଙ୍କ ସହ ସାକ୍ଷାତ କଲେ ହୁଏତ ସେ ତୁମର ସହଯୋଗ କରିପାରନ୍ତି ବୋଲି କହିବା ପରେ ସନ୍ଧ୍ୟା ବିନୋଦଙ୍କ ନିକଟରେ ପହଞ୍ଚିଥିଲେ। ବିନୋଦଙ୍କୁ ଭେଟି ନିଜର ଦୁଃଖ ବଖାଣିଥିଲେ।ଦିନକୁ ସେ ୧ ହଜାର ବିଡି ବୋଳି ମାତ୍ର ୧୪୦ ଟଙ୍କା ରୋଜଗାର କରିପାରୁଛନ୍ତି। ସେତିକିରେ ପୁଅକୁ ପାଠ ପଢାଇବା ଏବଂ ଝିଅର ଚିକିତ୍ସା ପାଇଁ କିପରି ଅର୍ଥ ଯୋଗାଡ କରିବେ ସେନେଇ ସେ ଚିନ୍ତିତ ଥିବା କହିଥିଲେ।

ବିନୋଦ ସବୁ ଶୁଣିବା ପରେ ତୁରନ୍ତ ୫ ହଜାର ଟଙ୍କା ପ୍ରଦାନ କରିଥିଲେ। ବ୍ରହ୍ମପୁର ନେଇ ଝିଅର ଚିକିତ୍ସା କରାଇବା ପାଇଁ ସେ ମଧ୍ୟ ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ଦରକାର ପଡିଲେ ସେ ନିଶ୍ଚୟ ପୁନଃ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ଗରିବ ପରିବାର ରହୁଛନ୍ତି, ଯେଉଁମାନେ ଦୁଇ ବେଳା ମୁଠାଏ ଖାଇବାକୁ ପାଉନଥିବା ବେଳେ ରୋଗାଗ୍ରସ୍ତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ତେବେ ବିନୋଦ କିନ୍ତୁ ଗରିବ, ନିଷ୍ପସିତ ଲୋକଙ୍କ ସଂପର୍କରେ ଜାଣିବା ପରେ ତୁରନ୍ତ ସହଯୋଗର ହାତ ବଢାନ୍ତି। ତାଙ୍କର ଏହି ମାନବିକତା ପାଇଁ ତାଙ୍କୁ ଜିଲ୍ଲାରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର