ନୂଆଗାଁ: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡାକ୍ତରଖାନାରେ ଡାକ୍ତର ନିଯୁକ୍ତ ହୋଇ ମଧ୍ୟ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରେ ବିଫଳ ହୋଇଛନ୍ତି ଏହି ବ୍ଲକ୍‌ର ଗରିବ ଆଦିବାସୀ। ତେଣୁ ବାଧ୍ୟହୋଇ କ୍ବାକ୍‌କୁ ଭରସା କରିବା ଛଡ଼ା ଅନ୍ୟ ଗତିନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। ସୂଚନା ଅନୁସାରେ, ଏହି ବ୍ଲକ୍‌ର ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର; ନୂଆଗାଁ, ସୋରଡ଼ା, ଲୁଆରାମ ଓ ଖଏରଟୋଲା। ସ୍ବାସ୍ଥ୍ୟସେବାକୁ ସରକାର ପ୍ରାଥମିକତା ଦେଉଥିବାବେଳେ, ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଡାକ୍ତର ଅଭାବ କିଂବା ଅନୁପସ୍ଥିତି ଯୋଗୁ ଅଞ୍ଚଳବାସୀ ଉପଯୁକ୍ତ ସେବା ପାଉନାହାନ୍ତି। ରୋଗୀଙ୍କ ପାଇଁ ୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବାବେଳେ ରୋଗୀ ଯାଉଛନ୍ତି କ୍ୱାକ୍‌ ପାଖକୁ। ପ୍ରାୟ ୬ ମାସ ହେବ ସୋରଡ଼ା ଓ ଖଏରଟୋଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ହେଇଛନ୍ତି। ମାତ୍ର ନିଯୁକ୍ତି ଦିନଠାରୁ ଆଜି ପର୍ଯ୍ୟନ୍ତ ସେମାନେ କେବେହେଲେ ପୂରl ସମୟ ରହିନାହାନ୍ତି ବୋଲି ଅଞ୍ଚଳବାସୀ କହନ୍ତି।

Advertisment

ନୂଆଗାଁ ଏକ ଉପାନ୍ତ ତଥା ଆଦିବାସୀବହୁଳ ବ୍ଲକ୍ ହେଇଥିବାରୁ ଶିକ୍ଷା ଓ ସ୍ଵାସ୍ଥ୍ୟକ୍ଷେତ୍ରରେ ଲୋକେ ସରକାରୀ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ସୋରଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତର ସରିତା ବରିହା ଦିନକୁ ମାତ୍ର ୨ ଘଣ୍ଟା ରୋଗୀ ଦେଖୁଥିବା ଓ ୧୨ଟା ପରେ କେହି ଗୁରୁତର ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ତାଙ୍କୁ ଯେତେ ଡାକିଲେ ମଧ୍ୟ ସେ ମଧ୍ୟ ସେ ଆଉ ରୋଗୀ ଦେଖୁ ନଥିବା ଅଭିଯୋଗ ଉଠିଛି। ଠିକ୍ ୩ ବାଜିଲା ମାତ୍ରେ ସେ ତାଙ୍କ ବ୍ୟାଗପତ୍ର ଧରି ନିଜଘରକୁ ପଳାଇ ଯାଉଥିବା ଅଭିଯୋଗ ବି ଉଠିଛି। ପାଖରେ ଆଉ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନ ଥିବାରୁ ରୋଗୀମାନେ ବାଧ୍ୟହୋଇ କ୍ୱାକ୍‌ ପାଖକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି।

ସେହିପରି ଖଏରଟୋଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋଜ କୁମାର ସେଠୀଙ୍କ ନାମରେ ବି ସମାନ ଅଭିଯୋଗ ଆସିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରର ଏକ ନଳକୂଅ ଖରାପ ଥିବାରୁ ପାଣି ସମସ୍ୟା ଦେଖାଇ ୫ଟାରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦକରି ଘରକୁ ପଳାଉଛନ୍ତି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଯଦି ସ୍ୱାସ୍ଥ୍ୟକେନ୍ଦ୍ରରେ ପାଣି ସମସ୍ୟା ଅଛି ସେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇ ତାହାର ସମାଧାନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସରକାର ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା କଥା କହୁଥିବାବେଳେ ସୋରଡ଼ା ଓ ଖଏର​ଟୋଲାରେ ଏହାର ବ୍ୟତିକ୍ରମ ଦେଖାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟିହୋଇଛି।

ଏ ନେଇ ସୋରଡ଼ା ଡାକ୍ତରଖାନାର ଡା. ସରିତା ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୁଁ ଠିକ୍ ସମୟରେ ଆସୁଛି। ମାତ୍ର ଟିକେ ଶୀଘ୍ର ଘରକୁ ପଳାଇଯାଉଛି। ସେହିପରି ଖଏରଟୋଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋଜ କୁମାର ସେଠୀଙ୍କୁ ପଚାରିବାରୁ ‘ପାଣି ସମସ୍ୟା ଥିବାରୁ ମୁଁ ଘରକୁ ପଳାଉଛି’ ବୋଲି କହିଛନ୍ତି। ଏ ନେଇ ହାତୀବାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ମହମ୍ମଦ ହଲିମଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୁଁ ସବୁ ପିଏଚ୍‌ସିର ଡାକ୍ତରମାନଙ୍କୁ ଯେତେ କହିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ଯଦି ଏମିତି ବାରମ୍ବାର ହୁଏ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।’