ଭରା ନଈ ଅଟକାଇପାରିନି ଟିକାକରଣ: ଲୋକଙ୍କୁ ଟିକା ଆଗ, ପରିସ୍ଥିତି ପଛ

ଚିତ୍ରକୋଣ୍ଡା : କାନ୍ଧରେ ଭ୍ୟାକସିନ ଡବା | ଆଉ ମନରେ ଲୋକଙ୍କୁ କରୋନା ବିରୋଧରେ ଲଢେଇ କରିବାକୁ ଶକ୍ତି ଦେବାକୁ ଆଗେଇ ଚାଲିଛନ୍ତି ସ୍ୱାସ୍ଥ୍ୟ କର୍ମୀ | ଆଜି ଆମେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ଏମିତି ଏକ ଦୃଶ୍ୟ ବାବଦରେ କହିବାକୁ ଯାଉଛୁ, ଯାହାକି ସ୍ୱାସ୍ଥ୍ୟ କର୍ମୀଙ୍କର ଅଦମ୍ୟ ସେବାକୁ ପ୍ରମାଣିତ କରିଛି | ସ୍ୱାଭିମାନ ଅଂଚଳରେ ଟିକା ଦେବାପାଇଁ ଭରା ନଦୀ ପାର ହେଉଛନ୍ତି ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ।

ଗୁରୁପ୍ରିୟା ସେତୁ ନିର୍ମାଣ ହେଲାପରେ ମଧ୍ୟ ସ୍ୱାଭିମାନ ଅଞ୍ଚଳର ସମସ୍ତ ଅଞ୍ଚଳକୁ ଆଜି ମଧ୍ୟ ଯୋଗାଯୋଗ ସଂପୂର୍ଣ୍ଣ ଭାବରେ ହୋଇପାରିନି। ଛୋଟ ବଡ଼ ବ୍ରିଜ ନିର୍ମାଣ କାମ ଜାରି ରହିଛି ।

ଆଉ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆଜି କାନ୍ଧରେ ଭ୍ୟାକସିନେସନ ବାକ୍ସ ନେଇ ମାଲିଗୁଡ଼ା ନଦୀକୁ ପୁରୁଷ ସ୍ବାସ୍ଥ୍ୟକର୍ମୀ ଶଶାଙ୍କ ଶେଖର କର,ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଣତି ମଣ୍ଡଳ ପାର ହୋଇଥିଲେ | ସେଠାରେ ଲୋକଙ୍କୁ ଟିକା ଦେଇ ପୁଣି ଫେରିଥିଲେ |

ସମ୍ବନ୍ଧିତ ଖବର