ରାଉରକେଲା: ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏବେ ତାତି ଅସମ୍ଭାଳ ହେଲାଣି। ଯେମିତି ତାପମାତ୍ରା ବଢ଼ିବଢ଼ି ଚାଲିଛି, ସେହିଅନୁସାରେ ଜନସାଧାରଣଙ୍କ ଦୁର୍ଦ୍ଦଶା ବି ବଢ଼ିବାରେ ଲାଗିଛି। ଏହି ସପ୍ତାହରେ ଜିଲ୍ଲାର ତାପମାତ୍ରା ସୀମା ଟପିଲାଣି। ଗତ ତିନି ଦିନ ହେଲା ଜିଲ୍ଲାର ତାପମାତ୍ରା ୪୪ ଡିଗ୍ରି ଉପରେ ରହୁଛି। ଏହା କ୍ରମଶଃ ବଢ଼ିବାରେ ଲାଗୁଛି ସିନା କମିବାର ନାଁ ନେଉନି। ଠିକ୍ ସେହିଭଳି ଇସ୍ପାତ ସହରର ତାପାମାତ୍ରା ମଧ୍ୟ ଉପରମୁହାଁ ରହିଛି। ରାଉରକେଲାର ତାପମାତ୍ରା ବି ୪୪ ଡିଗ୍ରି ଛୁଇଁଲାଣି।
ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଗ୍ରୀଷ୍ମ ଋତୁରେ ତାପମାତ୍ରା ଢ଼େର୍ ଅଧିକ ରହୁଛି। ମୁଣ୍ଡଫଟା ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଗତ ୧୦ ତାରିଖରେ ଜିଲ୍ଲାର ତାପମାତ୍ରା ସୀମା ପାର୍ କରିଥିଲା। ଚଳିତବର୍ଷ ପ୍ରଥମଥର ପାଇଁ ଜିଲ୍ଲାର ତାପମାତ୍ରା ୪୪.୧ ଡିଗ୍ରି ରହିଥିଲା। ଏହାପରେ ଜିଲ୍ଲାର ତାପମାତ୍ର ୪୨/୪୩ ଡିଗ୍ରିରୁ ଖସୁନି। ତେବେ ଗତ ତିନି ଦିନ ହେଲା ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି। ଗତ ୧୫ ତାରିଖରେ ଜିଲ୍ଲାର ତାପମାତ୍ରା ୪୪ ଡିଗ୍ରି ରହିଥିବାବେଳେ ୧୬ ତାରିଖରେ ୪୪.୫ ଡିଗ୍ରି ଓ ୧୭ ତାରିଖରେ ୪୪.୫ ଡିଗ୍ରି ରହିଛି।
ରାଉରକେଲାର ତାପମାତ୍ରା ଯଦିଓ ଜିଲ୍ଲାର ତାପମାତ୍ରା ସମକକ୍ଷ ନୁହେଁ; କିନ୍ତୁ ଆଖିଦୃଶିଆ କମ୍ ବି ନୁହେଁ। ସହରର ତାପମାତ୍ରା ଗତ ୧୫ ତାରିଖରେ ୪୩.୨ ଡିଗ୍ରି ଥିବାବେଳେ ୧୬ ତାରିଖରେ ୪୪ ଡିଗ୍ରି ଓ ୧୭ ତାରିଖରେ ୪୩.୪ ଡିଗ୍ରି ରହିଛି। ମାତ୍ରାଧିକ ଖରା ଯୋଗୁଁ ପୂର୍ବାହ୍ନ ୧୧ଟାରୁ ରାସ୍ତା, ଦୋକାନବଜାର ଖାଁଖାଁ ଲାଗୁଛି। ବସ୍, ଅଟୋରେ ବି ପରିବହନ ସଂଖ୍ୟା ମଧ୍ୟ ବହୁମାତ୍ରାରେ ଖସିଛି। ଦୋକାନବଜାର ଖୋଲା ରହୁଛି ସତ; କିନ୍ତୁ ଗ୍ରାହକଙ୍କ ପାଦ ପଡ଼ୁନି। ଏମିତିକି ସର୍ବଦା ଚଳଚଞ୍ଚଳ ସହରର ମୁଖ୍ୟମାର୍ଗରେ ମଧ୍ୟ ପୂର୍ବଭଳି ଆଉ ଭିଡ଼ ଦେଖିବାକୁ ମିଳୁନି। ଅସମ୍ଭାଳ ତାତି ସାଙ୍ଗକୁ ଘନଘନ ଅଘୋଷିତ ବିଦ୍ୟୁତ କାଟ୍ ଜନସାଧାରଣଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। ଟାଟା ପାୱାର ଦ୍ବାରା ନିୟମିତ ବ୍ୟବଧାନରେ ଅଘୋଷିତ ବିଦ୍ୟୁତ କାଟ୍ ହେଉଛି। ଏମିତିକି ବାସନ୍ତିକଲୋନି, ଜଲଦା ଆଦି ବିଭିନ୍ନ ଅଞ୍ଚଳରେ ବିଳମ୍ବିତ ରାତିରେ ଘଣ୍ଟାଘଣ୍ଟାଧରି ବିଦ୍ୟୁତ କାଟ୍ ହେଉଥିବା ଅଭିଯୋଗ ହେଉଛି।
ଦାଉ ସାଧିଛି ଖରା ସାଙ୍ଗକୁ ଜଳକଷ୍ଟ
ପ୍ରବଳ ଖରା ଯୋଗୁଁ ସହରବାସୀ ଏବେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଗୋପବନ୍ଧୁପଲ୍ଲୀ ଅଞ୍ଚଳବାସୀଙ୍କ ସମସ୍ୟା ଅଣାୟତ୍ତ ହେଲାଣି। ପ୍ରବଳ ତାତି ସାଙ୍ଗକୁ ପାନୀୟ ଜଳ ସମସ୍ୟା, ଅଞ୍ଚଳବାସୀଙ୍କ ଉପରେ ଦାଉ ସାଧିଛି। ଅଞ୍ଚଳର ପ୍ରାୟ ୧୫ ହଜାର ବସ୍ତିବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବିଶେଷକରି ଟିମ୍ବର କଲୋନି ପାହାଡ଼ ଉପରେ ଥିବା ଯୁଗ ନିର୍ମାଣ ବସ୍ତି, ବୈଷ୍ଣୋ ମନ୍ଦିର ପାଦ ଦେଶରେ ଥିବା ବିହାରୀପଡ଼ା, ତେଲି ପଡ଼ା, ମୁଣ୍ଡା ପଡ଼ା, ଲୋହାର ପଡ଼ା, ଫାଣ୍ଡି ପଛପଟ ବସ୍ତି, କୁଲି ଖଟାଲ, ପାହାଡ଼ି ବସ୍ତି, ଅମରନାଥ ବସ୍ତି, ପାହାଡ଼ି କୁଆଁ ବସ୍ତି, ମହାବୀର ଛକ, ଆନନ୍ଦ ଛକ, ଆନନ୍ଦ ଧାମ୍ ଅଞ୍ଚଳରେ ସ୍ଥିତି ଉଦ୍ବେଗଜନକ।
ବିଭିନ୍ନ ବସ୍ତିରେ ଥିବା ନଳକୂଅ ବର୍ଷାଧିକ କାଳ ଅଚଳ ହୋଇ ପଡ଼ିଥିବାବେଳେ ଅଞ୍ଚଳକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏଯାଏ ସମ୍ଭବ ହୋଇନି। ଏମିତିକି ଗୋପବନ୍ଧୁପଲ୍ଲୀ, ଟିମ୍ବର କଲୋନି ଅଞ୍ଚଳରେ ଥିବା ପ୍ରାୟ ୧୦/୧୨ ଜଣ ପାଣି ବେପାରିଙ୍କଠାରୁ ଲୋକ ପାଣି କିଣୁଛନ୍ତି। ପାଣି ମୁନ୍ଦିଏ ପାଇଁ ସ୍ଥାନୀୟ ବାସିନ୍ଦା ଏହି ପାଣି ବେପାରିଙ୍କୁ ଆଗୁଆ ୨ ହଜାର ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ଯିଏ ଆଗୁଅ ଟଙ୍କା ଜମା କରୁନାହାନ୍ତି; ସେମାନଙ୍କୁ ପାଣି ବିକ୍ରି କରାଯାଉନି। ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଣ କରାଯାଉଛି; କିନ୍ତୁ ତାହା ଆବଶ୍ୟକତା ମେଣ୍ଟାଇପାରୁନି।