ରାୟଗଡ଼ା: ରାୟଗଡ ଜିଲାରେ ବର୍ଷା ଓ ପବନ ଦାଉ ସାଧିଛି। ଅପରାହ୍ନରେ ପ୍ରବଳ ବର୍ଷା ସାଂଗକୁ ପବନ ବହିଥିଲା। ଫଳରେ ଜିଲ୍ଲାର ବହୁ ଅଂଚଳରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ରାୟଗଡା–କୋରାପୁଟ ୩୨୬ ଜାତୀୟ ରାଜପଥରେ ମଧ୍ୟ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବା ସହ ମାଟି କାଢୁଥିବା ଜଣାପଡିଛି।
ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ବିଦ୍ୟୁତ ବିଭ୍ରାଟ ଦେଖା ଦେବାରୁ ରାସ୍ତାରେ ପଡିଥିବା ଗଛଗୁଡିକ କାଟିବାରେ ବହୁ କଷ୍ଟ ସ୍ବୀକାର କରୁଛନ୍ତି ଅଗ୍ନଶମ ବାହିନୀର କର୍ମଚାରୀ। ଗତ ତିନି ଦିନ ହେଲା ଲଗାତାର ସଂଧ୍ୟାରେ ଘଡଘଡି ସହ ବର୍ଷା ହେଉଛି। ତେବେ ଆଜି କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ବୋହିଥିଲା। ଖବର ଲେଖାଯିବା ବେଳକୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗର କର୍ମକର୍ତ୍ତା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ବହୁ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ମଧ୍ୟ ଦେଖା ଦେଇଛି। ଲଗାତାର ବର୍ଷା ଜାରି ରହିଥିବାରୁ ବିଦ୍ୟୁତ ସେବା ଯୋଗାଇବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଛି।