ରାୟଗଡ଼ା: ଲଘୁଚାପ ପ୍ରଭାବରେ ରାୟଗଡ଼ାରେ ପୁଣି ମୂଷଳ ଧାରାରେ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟାହ୍ନରୁ ବର୍ଷା ଲାଗି ରହିଥିବାରୁ ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୪୨୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ୩୮.୮୫ ମିମି ହାରରେ ବର୍ଷା ହୋଇଥିବାରୁ ଜିଲ୍ଲାର ନଦୀ, ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ ୮ଟା ସୁଦ୍ଧା ବଂଶଧାରା ଜଳସ୍ତର ସତର୍କ ସଙ୍କେତ ଟପି ପ୍ରବାହିତ ହୋଇଥିଲା। ସଂଧ୍ୟା ୬ଟାରେ ବଂଶଧାରା ଜଳସ୍ତର ବୃଦ୍ଧି ପାଇ ୮୩.୪୫ ମିଟରରେ ପହଞ୍ଚିଛି। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଯେକୌଣସି ମୁହୂର୍ତ୍ତରେ ଜଳସ୍ତର ବିପଦ ସଙ୍କେତ ଟପିବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଂଶଧାରା ଉପରମୁଣ୍ଡ ମୁନିଗୁଡ଼ାରେ ୯୫ ମିମି ବର୍ଷା ହୋଇଛି। ସେହିପରି ବିଷମକଟକରେ ୮୧.୬ ମିମି, ଚନ୍ଦ୍ରପୁରରେ ୩୦.୭ ମିମି, ଗୁଡାରିରେ ୧୬ ମିମି, ପଦ୍ମପୁରରେ ୧୬ ମିମି, ରାମନାଗୁଡ଼ାରେ ୧୦.୨ ମିମି ଏବଂ ଗୁଣପୁରରେ ୨୦ ମିମି ବର୍ଷା ହୋଇଛି।

Advertisment

ସେହିପରି ନାଗାବଳୀ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ନାଗାବଳୀ ଉପରମୁଣ୍ଡ କଲ୍ୟାଣସିଂହପୁରରେ ୫୬.୨ ମିମି, କୋଲନରାରେ ୨୪.୩ ମିମି, ରାୟଗଡ଼ାରେ ୩୭.୮ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ମଧ୍ୟାହଣ୍ ପରଠାରୁ ବର୍ଷା ପରିମାଣ ସାମାନ୍ୟ କମିଛି। କିନ୍ତୁ ନଦୀ ଜଳସ୍ତରରେ କୌଣସି ପରିବର୍ତ୍ତନ ଆସିନି। ବଂଶଧାରା ଜଳସ୍ତର ବଢ଼ୁଥିବା ବେଳେ ନାଗାବଳୀ ଦୁଇ କୂଳ ଲଂଘି ପ୍ରବାହିତ ହେଉଛି। ରାୟଗଡ଼ା ତଳମୁଣ୍ଡରେ ଝଞ୍ଜାବତୀ ଜଳ ନାଗାବଳୀରେ ମିଶୁଥିବାରୁ ପିତାମହଲ, ଜେମାଦେଇପେଣ୍ଠ, ଶେଷଖାଲ, ଜଗନ୍ନାଥପୁର ଅଞ୍ଚଳରେ ନାଗାବଳୀ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି। ରାତିରେ ଯଦି ବର୍ଷା ବଢ଼େ ତାହାହେଲେ ଖାଲୁଆ ଏବଂ ତଳି ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି।

ନଚେତ୍ ଜିଲ୍ଲା ପାଇଁ ସେମିତି କୌଣସି ବିପଦ ନଥିବା ପାଣିପାଗ ବିଭାଗ ଅନୁମାନ କରିଛି। ତଥାପି ରାଜ୍ୟ ସରକାରଙ୍କ ନିର୍ଦେଶନୁଯାୟୀ ସତର୍କ ରହିବା ପାଇଁ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ ଓ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।