ତାଣ୍ତବ ରଚିଲା କାଳବୈଶାଖୀ, ଗଛ ପଡ଼ି ଭାଙ୍ଗିଲା ଘର

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ସଦର ପଞ୍ଚାୟତର ଦହଡାଗୁଡା ଗ୍ରାମର ଶ୍ରୀଧର ଗୈାଡଙ୍କ ଘର ଉପରେ ଗଛ ଡ଼ାଳ ଭାଙ୍ଗି ପଡି ଯିବାରୁ ଗୋଟିଏ ଘର ଦୁଇଟି ବଖରା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଦୁଇ ବଖରା ଭାଙ୍ଗି ଯିବା ପରେ ପରିବାର ଲୋକ ରୋଷେଇ ଘରେ ରହୁଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଧର ଗୈାଡ, ପତ୍ନୀ ଏବଂ ପରିବାର ଲୋକେ ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ହେବା ଯୋଗୁଁ ସମସ୍ତେ ଘରେ ବସିଥିଲେ। ଏହି ସମୟରେ ପ୍ରବଳ ପବନ ବହିବାରୁ ଘର ନିକଟରେ ଥିବା ଗୋଟିଏ ଗଛର ଡାଳ ଭାଙ୍ଗି ଯାଇ ଶ୍ରୀଧରଙ୍କ ଘର ଉପରେ ପଡ଼ି ଯାଇଥିଲା। ତେବେ ଶ୍ରୀଧର ଗୈାଡଙ୍କ ପତ୍ନୀ ଏବଂ ପରିବାର ଲୋକେ ସୌଭାଗ୍ୟବଶତଃ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଅନ୍ୟ ପଟେ ପାଖରେ ଗାଇ ଗୁହାଳ ଥିବାରୁ ଗାଈଗୋରୁ ମାନେ ମଧ୍ୟ ଅଘଟଣରୁ ବର୍ତ୍ତି ଯାଇଥିଲେ। ବୈପାରିଗୁଡା ପଞ୍ଚାୟତ ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ ଏହି ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଓଆଇସି ଏସ୍.କେ. ପ୍ରଧାନ, ଗାଡ଼ି ଚାଳକ ଅଚ୍ୟୁତ ଓରାମ, ଆଗ୍ନିକ ଆର୍.କେ. ପ୍ରଧାନ, ଜି. ହିକିମି ଏବଂ ବି. ସାହୁ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫା କରିଥିଲେ। ଶ୍ରୀଧରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର