ବାଲେଶ୍ୱରରେ ୩୪ ମିମି ବର୍ଷା, ୨୫ ଯାଏ ଜାରି ରହିବ, ଜନଜୀବନ ପ୍ରଭାବିତ

ବାଲେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଫଳରେ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବୁଧବାର ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲାରେ ମଙ୍ଗଳବାର ରାତି ଠାରୁ ତୁହାକୁତୁହା ବର୍ଷା ଜାରି ରହିଥିବା ବେଳେ ଜନଜୀବନ ପ୍ରଭାବିତ ହୋଇପଡ଼ିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୩୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆହୁରି ଦୁଇଦିନ ପର୍ଯ୍ୟନ୍ତ ଏହି ବର୍ଷା ବଳବତ୍ତୋର ରହିବ ବୋଲି ଜିଲ୍ଲା ପାଣିପାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି। ବର୍ଷାର ପରିମାଣ ଧିରେ ଧିରେ ବୁଥିବାରୁ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନ କରାଯାଇଛି।

ଫଟୋ: ମନୋଜ ବିଶ୍ୱାଳ

ଅନ୍ୟପକ୍ଷରେ ବର୍ଷା ଯୋଗୁ ବାଲେଶ୍ୱର ସହରର ଡ୍ରେନେ୍‌ଜ ଓ ରାସ୍ତାଘାଟର ଅବସ୍ଥା ବେହାଲ ହୋଇଯାଇଛି। ଅଳିଆ ଆବର୍ଜନା ଠିକ୍‌ ଭାବେ ସଫା କରାଯାଉ ନଥିବା ବେଳେ ଡ୍ରେନ୍‌ଗୁଡ଼ିକରେ ବର୍ଷା ପାଣି ପଶି ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଲୋକମାନେ ଯିବାଆସିବା କରିବା ପାଇଁ ବହୁ ହଇରାଣ ହୋଇଥିବା ଦେଖାଯାଇଛି। ବର୍ଷା ଜାରି ରହିଥିବାରୁ ଯାତାୟତ ବ୍ୟବସ୍ଥା ଓ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। ଆଗକୁ ଦୀପାବଳି ପର୍ବ ଆସୁଥିବାରୁ ଏପଟେ ଏଭଳି ବର୍ଷା ବ୍ୟବସାୟୀ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର