ଦିନତମାମ୍‌ ଅବିଶ୍ରାନ୍ତ ବର୍ଷା: ବାଲେଶ୍ୱରରେ ଜୀବନଯାତ୍ରା ଅସ୍ତବ୍ୟସ୍ତ, ଯାତାୟତ ଠପ୍‌, ଦୋକାନବଜାର ଖାଁଖାଁ

ସହରତଳି ଅଞ୍ଚଳ, ନଦୀକୂଳ ଇଲାକାରେ ବନ୍ୟା ପରିସ୍ଥିତି

ବାଲେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବାଲେଶ୍ୱରରେ ପ୍ରବଳ ବର୍ଷା ଲାଗି ରହିଛିି। ଅବିଶ୍ରାନ୍ତ ବର୍ଷା ସମଗ୍ର ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇ ରାସ୍ତାଘାଟ ଓ ଦୋକାନବଜାର ଶୂନଶାନ୍‌ ହୋଇଯାଇଛି।

ଜିଲ୍ଲା ଜରୁରୀକାଳୀନ ବିଭାଗ ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଜିଲ୍ଲାର ସଦର ବ୍ଲକରେ ସର୍ବାଧିକ ୫୭ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ରେମୁଣା ବ୍ଲକରେ ୪୬ ମିମି, ଭୋଗରାଇ ବ୍ଲକରେ ୨୧.୨ ମିମି, ବସ୍ତା ବ୍ଲକରେ ୪୬ ମିମି, ଜଳେଶ୍ୱର ବ୍ଲକରେ ୧୧ ମିମି, ବାଲିଆପାଳ ବ୍ଲକରେ ୨୫ ମିମି, ନୀଳଗିରି ବ୍ଲକରେ ୨୬ ମିମି, ସୋର ବ୍ଲକରେ ୨୩ ମିମି, ବାହାନଗା ବ୍ଲକରେ ୩୫ ମିମି, ସିମୁଳିଆ ବ୍ଲକରେ ୧୬ ମିମି, ଖଇରା ବ୍ଲକରେ ୯ ମିମି, ଔପଦା ବ୍ଲକରେ ୫ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ମଧ୍ୟରେ ଏହି ତଥ୍ୟ ମିଳିଥିବା ବେଳେ ଦିନତମାମ୍‌ ମୂଷଳଧାରାରେ ହେଉଥିବା ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ବୁାବଳଙ୍ଗ ଅବବାହିକାରେ ୩୩୪.୨ମିମି ଓ ସୁବର୍ଣ୍ଣରେଖା ଅବବାହିକାରେ ୧୩୧.୪ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସଂଧ୍ୟା ୬ଟା ସୁଦ୍ଧା ସୁବର୍ଣ୍ଣରେଖାର ରାଜଘାଟ ଠାରେ ଜଳସ୍ତର ୪.୮୩ମି. ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୧୦.୩୬ମି ରହିଛି। ସେହିପରି ବୁାବଳଙ୍ଗର ଏନ୍‌ଏଚ୍‌-୧୬ର ନହରପାଟଣାଠାରେ ବିପଦସଙ୍କେତ ୮.୧୩ମି.ର ବହୁତଳେ ୧.୮୬ମି.ରେ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଜଳକା ନଦୀ ଘଣ୍ଟାପ୍ରତି ପ୍ରାୟ ୬ସେମି. ହାରରେ ଜଳପତ୍ତନ ବୃଦ୍ଧିପାଉଛି। ସକାଳ ୯ଟା ବେଳେ ମଥାନୀଠାରେ ଜଳକାର ଜଳସ୍ତର ୪.୮୩ ମି. ଥିବାେବେଳ ସଂଧ୍ୟାବେଳେ ଏହା ୫.୧୫ମି.ରେ ପ୍ରବାହିତ ହେଉଥିବା ଜଳସମ୍ପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏଠାରେ ନଦୀର ବିପଦସଂକେତ ୫.୫୦ମି. ରହିଛିଯ ଅବିରତ ବର୍ଷା ଯୋଗୁ ନଦୀକୂଳବାସୀ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି।

ବର୍ଷାର ପରିମାଣ ଧୀରେ ଧୀରେ ବଢୁଥିବାରୁ ବାଲେଶ୍ୱର ସହରର ଚୂନଭାଟି, ଗୁଡ଼ିପଦା, ଶୋଭାରାମପୁର, ଅଙ୍ଗାରଗଡ଼ିଆ, ରାମେଶ୍ୱରନଗର, ଏଫ୍‌ଏମ୍ନଗର, ଦର୍ଜିପୋଖରୀ, ବାଲିଘାଟ ଆଦି ସହର ତଳିଅଞ୍ଚଳଗୁଡ଼ିକ ବେହାଲ ହୋଇପଡ଼ିଛି। ଏହାଛଡ଼ା ସହରର ମଝିଅଞ୍ଚଳର ଡ୍ରେନେଜ୍‌ଗୁଡ଼ିକେର ଜଳ ନିଷ୍କାସନ ଠିକ୍‌ଭାବେ ହେଉ ନ ଥିବାରୁ ଆଇଟିଆଇ, ଶିଳ୍ପାଞ୍ଚଳ, ଆଳୁପୁର ଆଦି ସ୍ଥାନ ଜଳମଗ୍ନ ହୋଇ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ବ୍ୟବସାୟୀମାନେ ଆଜି କ୍ଷତି ସହିଥିବା ବେଳେ ଏପରି ଜାରି ରହିଲେ ଆଗାମୀ ଦୀପାବଳି ବଜାର ସମ୍ପୂର୍ଣ୍ଣ ଘାଟା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର