କନ୍ଧମାଳରେ ଲଗାଣ ବର୍ଷା: ନାଳ ପାର ବେଳେ ଭାସି ଗଲେ ବାପା-ପୁଅ, ୨୪ଘଣ୍ଟା ପରେ ମଧ୍ୟ କୌଣସି ପତ୍ତା ନାହିଁ

୫ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ, ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ, କୋଟଗଡ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବେଲଘର ଅଞ୍ଚଳର ବିଳମାଳ ପଞ୍ଚାୟତର ମୁଣ୍ଡିମାସ୍କା ଗ୍ରାମର ଦିନ ମାଝୀ (୪୮), ପୁଅ ପୂରେନ୍ଦ୍ର ମାଝୀ (୩୦)ଏକ ସ୍ଥାନୀୟ ନାଳରେ ଭାସି ଯାଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ବର୍ଷା ଜାରି ରହିଛି।

କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ଲାଗିରହିଥିବା ଫଳରେ ୫୯ ନମ୍ବର ଜାତୀୟ ରାଜପଥର ରାଟାଗୁଡ଼ା, ଜାଲେଶପଟ୍ଟା, ମଣ୍ଡଳପଦର ରାସ୍ତା ଧୋଇ ହୋଇଯାଇଛି। ଫଳରେ ରାୟଗଡା, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ ହୋଇଛି। ତୁମୁଡିବନ୍ଧ ଓ କୋଟଗଡ ବ୍ଲକ ସମେତ ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଯାଗାଯୋଗ ବିଛିନ୍ନ ହୋଇଛି। ଫଳରେ ଶତାଧିକ ଟ୍ରକ ଓ ବସ ଅଟକି ରହିଛି। ଏଥି ସହିତ କ୍ରୁତମଗଡ଼-ସିର୍ଲା ରାସ୍ତାରେ ଥିବା ଏକ କର୍ଲଭଟ ଧୋଇ ଯାଇଛି। ସେହିପରି ଲଙ୍କାଗଡ, ଭଣ୍ଡାରଙ୍ଗି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ମେଡିକାଲ ଭିତରେ ପାଣି ପଶିଯିବାରୁ ରୋଗୀ ସେବା ପ୍ରଭାବିତ ହୋଇଛି।

ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆହୁରି ୨୪ଘଣ୍ଟା ବର୍ଷା ଲାଗି ରହିବ। ନଦୀ ନାଳ ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି ତେଣୁ ଅତିକ୍ରମ କରିବା ବେଳେ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି।

ସ୍କୁଲ ପିଲାମାନେ ବୁଧବାର ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହୋଇଛନ୍ତି। ପିଲାମାନେ ସିଡ଼ି ପକାଇ ନାଳ ଆର ପାରକୁ ଯାଇଛନ୍ତି। ବର୍ଷା ଯଦି ଏଭଳି ଭାବେ ଲାଗିରହେ ଗୁରୁବାର ପିଲାମାନେ ସ୍କୁଲ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ପ୍ରଶାସନ ବର୍ଷାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରନ୍ତୁ ବୋଲି ଦାବି କରାଯାଇଛି।

 

ସମ୍ବନ୍ଧିତ ଖବର