କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ତେଲକୋଇ, ହରିଚନ୍ଦନପୁର ଉପଖଣ୍ଡରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବରରେ ଆନନ୍ଦପୁରରେ ବର୍ଷା ସାଙ୍ଗକୁ ଝଡ଼ତୋଫାନ୍ ମଧ୍ୟ ଅନୁଭୂତ ହୋଇଛି। ସକାଳ ୭ଟାରେ ହଠାତ୍ ଆକାଶରେ ମେଘ ଢାଙ୍କିଥିବାବେଳେ ଚାରିଆଡେ ଅନ୍ଧକାର ହୋଇ ଯାଇଥିଲା। ପାଗର ହଠାତ୍ ଏଭଳି ପରିବର୍ତ୍ତନକୁ ନେଇ ଲୋକମାନେ ଚିନ୍ତାରେ ପଡି ଯାଇଥିଲେ। ଝଡ଼ତୋଫାନ୍ ଯୋଗୁ ଅନେକ ସ୍ଥାନରେ ଗଛ, ଇଲେକ୍ଟ୍ରିଖୁଣ୍ଟ ଭାଙ୍ଗି ପଡିଥିବାବେଳେ ବିଦ୍ୟୁତ୍ ତାର ଛିଡ଼ି ପଡିଥିଲା। ବଳରାମପୁର ନିକଟରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡି ରାସ୍ତାରେ ପଡିବାରୁ ଦେଓଗାଁ-ଶୈଲଙ୍ଗ ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଥିଲା। ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବହୁସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ସେହିଭଳି ତେଲକୋଇ ବ୍ଲକରେ ଆଜି ସକାଳ ୬ଟା ବେଳେ ହଠାତ୍ ଅନ୍ଧାର ଘୋଟି ଆସି ଝଡତୋଫାନ ସାଙ୍ଗକୁ ବିଜୁଳି ଘଡଘଡି। ବର୍ଷା ବି ହୋଇଥିଲା। ଫଳରେ କେତେକ ସ୍ଥାନରେ ନଡ଼ା ଛପର ଉଡ଼ି ଯାଇଥିବା ବେଳେ ଗଛପଡ଼ି କେତେକ ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ଜଣାଯାଇଛି। ଗଛ ମଧ୍ୟ ଭାଙ୍ଗି ଦେଇଛି। ଆମ୍ବ ଗଛରୁ ଆମ୍ବ ଝାଡି ଦେଇଛି।
ତାଳପଦା ପଞ୍ଚାୟତ ପଙ୍ଗା ଗ୍ରାମରେ ପୁରୁଷୋତ୍ତମ ପାତ୍ର, ଲକ୍ଷ୍ମୀଧର ପାତ୍ର, ବୁଦ୍ଧଦେବ ପାତ୍ର, ଦାକୁରୁ ମୁଣ୍ଡା ଓ ନନ୍ଦକିଶୋର ପ୍ରଧାନଙ୍କ ଘର ଭାଙ୍ଗି ଯାଇଛି। ଦେଉଳଡିହା ପଞ୍ଚାୟତ ନୂଆଗଡ ଗ୍ରାମର ମଣ୍ଡେଇ ସାହିରେ ଥିବା ଏକ ପୁରାତନ ଆମ୍ବ ଗଛ ଭାଙ୍ଗି ଯାଇଛି। ଝଡତୋଫାନ ଯୋଗୁଁ ଖୁଣ୍ଟାପଡା, ଦେଉଳଡିହା, ନୂଆଗଡ, ସନ୍ତେଇଭଞ୍ଜ, କନ୍ତଲେଇ, ତେଲକୋଇ, ଦୋବଲାପାଳ, ଛାମୁଣ୍ଡା, ଗୋଳାବନ୍ଧ ପ୍ରଭୃତି ଗ୍ରାମରେ ଆମ୍ବ ଗଛରୁ ଆମ ଝାଡ଼ି ଦେଇଛି କାଳବୈଶାଖୀ। ଫଳରେ ଆମ୍ବ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାବେଳ ହରିଚନ୍ଦନପୁର ଠାରେ ମଧ୍ୟ କାଳବୈଶାଖୀର ସମାନ ପ୍ରଭାବ ରହିଛି।
ହରିଚନ୍ଦନପୁର ବ୍ଲକ ପିଠାଗୋଳା ଗ୍ରାମର ଏକ ବହୁ ପୁରୁଣା ଆମ୍ବଗଛ ଉପୁଡ଼ି ପଡ଼ିଛି। ଗଛ ପଡ଼ି ଗ୍ରାମ ସୁଜିତ କୁମାର ସାହୁଙ୍କ ଦୁଇ ବଖରା ଦୋକାନ ଘର, ଏକ ପିକଅପ୍ ଭ୍ୟାନ, ରବି ବେହେରାଙ୍କ ଗୋଟିଏ ବଖରା ଘର କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉପୁଡ଼ି ପଡିଥିବା ଗଛକୁ କାଟି ସଫା କରିଛନ୍ତି। ସୁଜିତଙ୍କ ପିକଭ୍ୟାନଟି ଜଖମ ହୋଇଥିବା ବେଳେ କେତେକ ଘରର ଛପର ଉଡ଼ିଯାଇଛି। ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗି ଗ୍ରାମର ଜେଠୁ ମହାରଣାଙ୍କ ୩ ବଖରା ଖପର ଛପର ଘର ଉପରେ ଏକ ଗଛ ପଡ଼ି ଯିବାରୁ ଘରଟି ଭାଙ୍ଗି ଯାଇଛି। ଖପର ପଡ଼ି ଯିବାରୁ ଶ୍ରୀ ମହାରଣାଙ୍କ ପତ୍ନୀ ପ୍ରମିଳା ଆହତ ହୋଇଛନ୍ତି। ସେହିପରି ଗ୍ରାମର ବିଦ୍ୟାଧର ମହାନ୍ତ ୩ ବଖରା ଟିଣ ଛପର ଏବଂ ଅନାମ ମୁଣ୍ଡାଙ୍କ ୩ ବଖରା ଚାଳ ଛପର ଉଡ଼ିଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।