ମାଲକାନଗିରିରେ ଲଗାଣ ବର୍ଷା, ବାଲିମେଳା ମାଲକାନଗିରି ଯୋଗାଯୋଗ ବିଛିନ୍ନ

ମାଲକାନଗିରି: ମାଲକାନଗିରିରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଛି। ଯାହାଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ତଳୁଆ ବ୍ରିଜ ଗୁଡିକ ଉପରେ ପାଣି ପ୍ରହାରିତ ହେବାରୁ ଯାତାୟତ ଠପ୍ ହୋଇଯାଇଛି। ୩୨୬ ଜାତୀୟ ରାଜପଥ ଉପରେ ଥିବା କାଙ୍ଗରୁକୋଣ୍ଡା ବ୍ରିଜ ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯାନବାହାର ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ସେହିପରି କାଲିମେଳା ଏବଂ ପଡିଆ ମଧ୍ୟରେ ଥିବା କନ୍ୟାଶ୍ରମ ବ୍ରିଜ ଉପରେ ଗତକାଲି ଠାରୁ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି।

ଆଜି ମାଲକାନଗିରି ବାଲିମେଳା ମଧ୍ୟ ରହିଥିବା କୋରକୋଣ୍ଡା ଏବଂ ଏମଭି-୩୭ ଠାରେ ରହିଥିବା ତଳୁଆ ବ୍ରିଜ ଉପରେ ପ୍ରାୟ ୪ ଫୁଟ ପାଣି ପ୍ରହାରିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୁଲିସ ପ୍ରଶାସନ ତରଫରୁ ଏହି ଅଂଚଳରେ କଡା ପହରା ଦିଆଯାଉଥିବା ବେଳେ ବ୍ରିଜ ପାର ହେବାକୁ କାହାକୁ ଦିଆଯାଉନଥିବା ଦେଖିବାକୁ ମିଳିଛି। ବାଲିମେଳା ପଟରୁ ଆସୁଥିବା ଗାଡି ଗୁଡିକ ବ୍ରିଜର ଅପରପାର୍ଶ୍ବରେ ଅଟକି ରହିଥିବା ବେଳେ ମାଲକାନଗିରି ପଟରୁ ବାଲିମେଳା, ଚିତ୍ରକୋଣ୍ଡାକୁ ଯାଉଥିବା ଗାଡି ଗୁଡିକ ମଧ୍ୟ ବ୍ରିଜ ଏପଟେ ଅଟକି ରହିଛି। ଜିଲ୍ଲା ପ୍ରଶାସନ ତରଫରୁ ଯେଭଳି ଲୋକେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।

Sambad

ତଳିଆ ଅଂଚଳରେ ପାଣି ପଶିବା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି। ପ୍ରଶାସନ ତରଫରୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ମଧ୍ୟ କରାଯାଇଛି। ତେବେ ମାଲକାନଗିରି ଏବଂ ବାଲିମେଳା ମଧ୍ୟରେ ରହିଥିବା କୋରକୋଣ୍ଡା ଏବଂ ଏମଭି-୩୭ ଠାରେ ବଡ ପୋଲ ନିର୍ମାଣ କରାଯାଇଥିବା ବେଳେ ଗତ ୫ ବର୍ଷ ହେଲା ଏହାକୁ ବିଭାଗ ସଂପୂର୍ଣ୍ଣ ନକରି ପକାଇ ରଖିଛି। ସ୍ଥାନୀୟ ଅଂଚଳରେ ଏନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ତେବେ ମାଲକାନଗିରି ଜିଲ୍ଲାରେ ଆଜି ଜରୁରୀକାଳୀନ ବିଭାଗ ତରଫରୁ ବର୍ଷା ରେକର୍ଡ଼ କରାଯାଇଛି। ମାଲକାନଗିରି ବ୍ଲକରେ ୮୬ ମିଲିମିଟର, ମାଥିଲି ୧୪ ମିଲିମିଟର, ଖଇରପୁଟ ୩୦ ମିମି, ଚିତ୍ରକୋଣ୍ଡା ୩ ମିମି, କୋରକୋଣ୍ଡା ୨୭ ମିଲିମିଟର, କାଲିମେଳା ୧୭ ମିଲିମିଟର, ପଡିଆ ୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ସମ୍ବନ୍ଧିତ ଖବର